ମେ ୩୧ରେ ବ୍ରଜରାଜନଗର ଉପନର୍ବାଚନ

ମେ ୩୧ରେ ବ୍ରଜରାଜନଗର ଉପନର୍ବାଚନ

ମେ ୩୧ରେ ବ୍ରଜରାଜନଗର ଉପନର୍ବାଚନ

ଭୁବନେଶ୍ୱର: ମେ ମାସ ୩୧ ତାରିଖରେ ହେବ ବ୍ରଜରାଜନଗର ଉପନିର୍ବାଚନ। ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରଠୁ ଖାଲି ପଡ଼ିଥିଲା ଏହି ଆସନ।  ଆଜି ଭାରତୀୟ ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ ଆଜିଠାରୁ ଲାଗୁ ହୋଇଯାଇଛି ନିର୍ବାଚନ ଆଚରଣବିଧି।

ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ମେ’ ୪ ତାରିଖରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି। ମେ’ ୧୧ ତାରିଖ ପର୍ୟ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୭ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଏହା ପରେ ମେ’ ୩୧ରେ ଭୋଟ୍ ଗ୍ରହଣ କରାଯିବ। ଜୁନ୍ ୩ରେ ଭୋଟ୍ ଗଣତି ହେବ।

ଏହି ଉପନିର୍ବାଚନରେ ଇଭିଏମ୍ ଓ ଭିଭିପାଟ୍ ଉପଯୋଗ କରାଯିବ । ଆବଶ୍ୟକ ସଂଖ୍ୟକ ଇଭିଏମ୍ ଓ ଭିଭିପାଟ୍ ଉପଲବ୍ଧ କରାଯାଇଥିବା ନିର୍ବାଚନ କମିଶନ କହିବା ସହ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ନିର୍ବାଚନ ମଣ୍ଡଳୀରେ ଜାରି ହୋଇଥିବା ଭୋଟର ତାଲିକା ହିଁ ଉପନିର୍ବାଚନରେ ଉପଯୋଗ ହେବ। ଏହାସହିତ ପ୍ରାର୍ଥୀଙ୍କୁ ଅତିକମରେ ୩ ଥର ନିଜର ଅପରାଧିକ କାର୍ୟ୍ୟକଳାପ ସମ୍ପର୍କିତ ତଥ୍ୟ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଅବଗତ କରାଇବାକୁ ପଡ଼ିବ।

ବ୍ରଜରାଜନଗର ଉପ-ନିର୍ବାଚନ ଲଢ଼ିବା ପାଇଁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଆଶାୟୀ ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ବିଜେଡି ତରଫରୁ ଟିକେଟ୍ ପାଇଁ ଆଶା ରଖିଥିବା ଆଲୋଚନା ହେଉଛି। ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ ଏନେଇ ଗଣମାଧ୍ୟମ ଆଗରେ ଖୋଲାଖୋଲି ତାଙ୍କ ମତ ରଖିସାରିଛନ୍ତି। ସେ ଟିକେଟ୍ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବିଜେଡି କାହାକୁ ଏଠାରୁ ଟିକେଟ୍ ଦେବ, ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ ତାରିଖରେ ହୃଦ୍ଘାତ ଯୋଗୁ ବିଧାୟକ କିଶୋର ମହାନ୍ତିଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।