ମୁମ୍ବାଇ ଜେଲରେ ୭୭ କଏଦୀଙ୍କୁ କରୋନା
ମୁମ୍ବାଇ ଜେଲରେ ୭୭ କଏଦୀଙ୍କୁ କରୋନା
admin
May 9, 2020 - 10:44
Updated: May 9, 2020 - 10:44
ମୁମ୍ବାଇ: ଦେଶରେ କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଥିବା ମୁମ୍ବାଇ ସହରର ଅର୍ଥର ରୋଡ ଜେଲରେ ଥିବା ୭୭ ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ଏହି ଜେଲରେ କାର୍ଯ୍ୟରତ ୨୬ ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସେଣ୍ଟ ଜର୍ଜ ହସ୍ପିଟାଲର କରୋନା ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଏହି ଜେଲର ଜଣେ ରୋଷେୟା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଜେଲକୁ ସିଲ କରାଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୪୪ ଜଣଙ୍କ ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା । ଏଥିମଧ୍ୟରୁ ୧୦୩ ଜଣଙ୍କର ନମୁନା ପଜିଟିଭ ଥିବା ଜଣାପଡ଼ିଛି । କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ରେଡ ଜୋନରେ ଥିବା ୮ଟି ଜେଲ ଆଇସୋଲଟ କରି ଦିଆଯାଇଥିଲା । ଏହି ୮ଟି ଜେଲ ମଧ୍ୟରୁ ଅର୍ଥର ରୋଡ ଜେଲ ଅନ୍ୟତମ । ଆଇସୋଲେଟ ହୋଇଥିବା ଜେଲଗୁଡ଼ିକ ନୂଆ କଏଦୀଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିଲା । ଏହା ବ୍ୟତୀତ ଏହା ମଧ୍ୟରେ ରହିଥିବା ଜେଲ କର୍ମଚାରୀମାନେ ଲକଡାଉନ ସମୟରେ ବାହାରକୁ ଆସି ପାରିବେନି ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଏହି ଜେଲରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ଠାରୁ ଅନ୍ୟମାନଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା କମ ରହିଥିବା କୁହାଯାଇଛି । ରାଜ୍ୟ ଗୃହମନ୍ତ୍ରୀ ଦେଶମୁଖେ ଆହୁରି ମଧ୍ୟ କହିଛନ୍ତି ଯେ ଜେଲ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟର ୫,୦୦୦ କଏଦୀଙ୍କୁ ପାରୋଲରେ ମୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କଏଦୀମାନେ ୭ ବର୍ଷରୁ କମ ସମୟ ପାଇଁ ଜେଲ ଦଣ୍ଡରେ ଦଣ୍ଡି ଥିବା ସହ ସେମାନଙ୍କ ବିରୋଧରେ ଅପେକ୍ଷାକୃତ କମ ଗୁରୁତର ମାମଲା ରହିଛି । ସ୍ଥିତି ନିୟନ୍ତ୍ରଣ ହେବା ପରେ ସେମାନଙ୍କୁ ପୁଣି ଥରେ ଜେଲରେ ଭର୍ତ୍ତି କରାଯିବ ।