ମାନିଲେନି କଟକଣା, ବୋଇତ ବନ୍ଦାଣ ପାଇଁ ସବୁଠି ଭିଡ଼

ମାନିଲେନି କଟକଣା, ବୋଇତ ବନ୍ଦାଣ ପାଇଁ ସବୁଠି ଭିଡ଼

ମାନିଲେନି କଟକଣା, ବୋଇତ ବନ୍ଦାଣ ପାଇଁ ସବୁଠି ଭିଡ଼

ଭୁବନେଶ୍ୱର: ମାସ ମଧ୍ୟରୁ କାର୍ତ୍ତିକ ମାସ ଶ୍ରେଷ୍ଠ। ଆଜି ହେଉଛି ସବୁଠୁ ପୂଣ୍ୟ ଦିନ କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ଓଡ଼ିଆ ଭାଷାଭାଷୀ ଲୋକ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି।

ତେବେ କରୋନା ସମୟରେ ରାଜ୍ୟରେ ସମୁଦ୍ର ବେଳା ଓ ଜଳାଶୟ ଗୁଡିକରେ ଅଧିକ ଭିଡ଼ ସମ୍ଭାବନା ଥିବାରୁ ଏହିସବୁ ସ୍ଥାନ ଗୁଡିକରେ ବୋଇତ ବନ୍ଦାଣ ଉପରେ ମଧ୍ୟ କଟକଣା ଲଗାଯାଇଛି।  ତଥାପି ରାଜଧାନୀର ବିଭିନ୍ନ ଜଳାଶୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳାଶୟରେ ଭୋରୁ ଭୋରୁ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼।

ଲୋକେ ନିଜ ପରିବାର ସହ ରାତି ନ ପାହାଣୁ ବିଭିନ୍ନ ଜଳାଶୟରେ ପହଞ୍ଚି ଡଙ୍ଗା ଭସାଇବା ପରମ୍ପରା ବେଶ୍ ଉତ୍ସାହର ସହ ଶେଷ କରିଛନ୍ତି। ଏହାପରେ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁରଙ୍କ ଦର୍ଶନ ପାଇବାକୁ  ବିଭିନ୍ନ ମନ୍ଦିରରେ ବି ଲାଗିଥିଲା ଲମ୍ବା ଲାଇନ୍।  ପୁଲିସ୍ର ନାଲି ଆଖିକୁ ନ ଡରି ଲୋକେ ଡଙ୍ଗା ଭସା ପରମ୍ପରାକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି।

ଗଂଜାମରେ ଗତକାଲି ଅପରାହ୍ଣ ୨ଟାରୁ ବିଭିନ୍ନ ବେଳାଭୂମିରେ ଏକତ୍ରିତ ହେବା ଉପରେ କଟକଣା ଲାଗିଥିବା ବେଳେ ତାହା  ଆଜି ଅପରାହ୍ଣ ୨ଟା ପର୍ୟ୍ୟନ୍ତ ବଳବତ୍ତର ରହିବ ।  କଟକ ସହରରେ ବି ସର୍ବସାଧାରଣ ଡଙ୍ଗାଭସା ଉପରେ ବି କଟକଣା ଲାଗିବା ସତ୍ତ୍ୱେ ଦେଖିବାକୁ ମିଳିଛି ପ୍ରବଳ ଗହଳି। ବିଭିନ୍ନ ଜଳାଶୟ ତଥା ମନ୍ଦିରରେ ଭିଡ଼ ଜମାଇଛନ୍ତି ଲୋକେ।

କଟକରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ଉତ୍କଳୀୟ ପରମ୍ପରା ତଥା ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ଏକ ବୃହତ୍ତ ବାଣିଜ୍ୟିକ ମେଳା ହୋଇଥିବା ବେଳେ ବିଭିନ୍ନ ରାଜ୍ୟରୁ ବେପାରୀ ଏଠାକୁ ଆସି ନିଜ ପସରା ମେଲାଇଥାନ୍ତି। ସେହିପରି ଏହି ଯାତ୍ରା ବୁଲିବାକୁ ଲୋକଙ୍କର ମଧ୍ୟ ଅସମ୍ଭାଳ ଭିଡ଼ ହୁଏ। ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ଲୋକେ ଛୁଟି ଆସିଥାନ୍ତି। ଏପରି ସ୍ଥିତିରେ କରୋନା ବ୍ୟାପିବା ଆଶଙ୍କା ଥିବାରୁ ଚଳିତ ବର୍ଷ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଛି।