ମାଡି ଆସିଲା ବିପଦ, ଚିରିଗଲା ପତିତପାବନ ବାନା ।

ମାଡି ଆସିଲା ବିପଦ, ଚିରିଗଲା ପତିତପାବନ ବାନା ।

ପୁରୀ: କରୋନା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ମନ୍ଦିରରେ ସେବାୟତ ଓ ପୁଲିସକୁ ଛାଡ଼ିଦେଲେ ଭକ୍ତଟିଏ ନାହାନ୍ତି । ଭକ୍ତ ବିନା ମହାପ୍ରଭୁ ଏକା ରତ୍ନ ସିଂହାସନରେ ବସିଛନ୍ତି । ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ସପ୍ତାହକ ମଧ୍ୟରେ ତିନିଥର ବ୍ୟତିକ୍ରମ ଦେଖିବାକୁ ମିଳିଲାଣି । କଟକଣା ଆରମ୍ଭ ଦିନ ଫର ଫର ହୋଇ ଉଡ଼ୁଥିବା ବାନା ହଠାତ ଗଣ୍ଠି ପଡ଼ି ଯାଇଥିଲା । ଗଣ୍ଠି ପଡ଼ିଥିବାରୁ ବାନା ଆଉ ଉଡ଼ି ନଥିଲା । ତାର ଦିନକ ପରେ ପୁଣି ଦୀପ ନିଆଁରୁ ନୀଳଚକ୍ରରେ ବନ୍ଧା ହୋଇଥିବା ମାନସିକ ବାନାରେ ନିଆଁ ଲାଗିଥିଲା । ଅବଶ୍ୟ ଏହାକୁ ଚୁନରା ସେବକ ଅସ୍ୱୀକାର କରିଥିଲେ । ବାନା ନିଆଁ ଲାଗିବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ରବିବାର ନୀଳଚକ୍ରରେ ବନ୍ଧା ହୋଇଥିବା ବାନା ମଝିରୁ ଚିରି ଯାଇଛି । ଦିନ ସାରା ଶ୍ରୀମନ୍ଦିର ନୀଳଚକ୍ରରେ ଏହି ଚିରା ବାନାଟି ଉଡ଼ୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଚୁନରା ସେବକ ଏହାକୁ ସ୍ୱାଭାବିକ ଘଟଣା ବୋଲି କହୁଥିବା ବେଳେ ଅନ୍ୟ କିଛି ଏହାକୁ ଅଘଟଣ ଓ ଅଶୁଭର ସୂଚନା ବୋଲି ମତ ଦେଇଛନ୍ତି । ତେବେ କିଛି ବିଦ୍ୱାନ ଏଥିରେ ଭୟଭୀତ, ଆଶଙ୍କିତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି । ଏ ସମ୍ପର୍କରେ ଚୁନାର ନିଯୋଗ (ବାନା ବାନ୍ଧୁଥିବା ସେବକଙ୍କ ନିଯୋଗ) ର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ସେ ବାନା ଚିରିବା, ଗଣ୍ଠି ପଡ଼ିବା ଏକ ସ୍ୱାଭାବିକ ପ୍ରକ୍ରିୟା ବହୁ ଉଚ୍ଚରେ ବାନା ଉଡ଼ୁଛି । କେତେବେଳେ କେମିତି ପବନର ବେଗ ଅଧିକ ହେଲେ ବାନା ଛିଡ଼ିଯାଏ । ପୂର୍ବରୁ ନୀଳଚକ୍ରରେ ଶତାଧିକ ବାନା ବନ୍ଧା ଯାଉଥିଲା, କେତେ ଛିଡ଼ୁଥିଲା, ଗଣ୍ଠି ପଡ଼ୁଥିଲା । ତେବେ ଏହାକୁ ନେଇ କେହି ଆତଙ୍କିତ ହେବା ଉଚିତ ନୁହେଁ । ଏହା ଦେଶ ପାଇଁ ଅଶୁଭ ଏ ପ୍ରକାର ବିଶ୍ୱାସ ରଖିବା ଆଦୌ ଗ୍ରହଣୀୟ ନୁହେଁ । ମହାପ୍ରଭୁ ଜଗତର ସର୍ବଦା ମଙ୍ଗଳ କରନ୍ତି, ଅମଙ୍ଗଳ ନୁହେଁ ବୋଲି କହିଛନ୍ତି । ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ନରେଶ ଚନ୍ଦ୍ର ଦାଶ ମଧ୍ୟ ସମାନ ମତ ରଖିଛନ୍ତି । ବାନା ଚିରିଯିବା, ଉଡ଼ିଯିବା ସ୍ୱାଭାବିକ । ବାନା ଚିରିଲେ ଅଶୁଭ ଫଳ ହୁଏ ସେଭଳି କିଛି ଶାସ୍ତ୍ରୀୟ ମତ ନାହିଁ । ଏଥିପାଇଁ ଭୟଭୀତ ହେବାର କିଛି କାରଣ ନାହିଁ ।