ମହିଳାଙ୍କୁ ମା’ଙ୍କ ଦର୍ଶନ ପାଇଁ ମନା
ମହିଳାଙ୍କୁ ମା’ଙ୍କ ଦର୍ଶନ ପାଇଁ ମନା
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଦେବୀଙ୍କ ଦଶ ମହାବିଦ୍ୟା ରୂପ ମଧ୍ୟରେ ଧୂମାବତୀ ଅନ୍ୟତମ । ମା’ଙ୍କର ପ୍ରଚଣ୍ଡ ରୂପର ପ୍ରତୀକ ଅଟନ୍ତି ମା’ ଧୂମାବତୀ । ଦେବୀ ଦାନବ,ଦୁଷ୍ଟଙ୍କ ପାଇଁ ଭୟାନକ ହୋଇଥିଲେ ହେଁ ଭକ୍ତ ପାଇଁ କରୁଣାରେ ପରିପୂର୍ଣ୍ଣ । ସନ୍ତାନବସ୍ତ୍ରଳ ମା’ ଧୂମାବତୀଙ୍କ ମନ୍ଦିର ମଧ୍ୟପ୍ରଦେଶ ଠାରେ ଅବସ୍ଥିତ । ଏହା କେବଳ ସମଗ୍ର ଭାରତ ବର୍ଷର ନୁହେଁ, ବରଂ ବିଶ୍ୱର ଏକମାତ୍ର ଭଗବତୀ ଧୂମାବତୀ ମନ୍ଦିର ।
ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଅବସ୍ଥିତ ସୁପ୍ରସିଦ୍ଧ ପୀତାମ୍ବରା ପୀଠ ପରିସରରେ ସ୍ଥାପିତ ଦେବୀ ଧୂମାବତୀଙ୍କ ମନ୍ଦିର । ମନ୍ଦିରର କବାଟ ସବୁବେଳେ ଉନ୍ମୁକ୍ତ ନଥାଏ । ମା’ଙ୍କର ଆଳତି ସମୟରେ ହିଁ ଏହା ଖୋଲା ରହେ । କେବଳ ଶନିବାର ସକାଳ, ସନ୍ଧ୍ୟାରେ ଦୁଇଘଣ୍ଟା ଲେଖାଏଁ ପାଇଁ ମା’ ଧୂମବତୀଙ୍କ ଦର୍ଶନ ଭକ୍ତମାନେ କରିବାର ଅନୁମତି ପାଇଥାନ୍ତି । ମହିଳାମାନଙ୍କୁ ମା’ଙ୍କ ଦର୍ଶନ ନିଷିଦ୍ଧ । ଧୂମବତୀଙ୍କ ମନ୍ଦିର ସ୍ଥାପନା ମହାନ ସନ୍ଥ ସ୍ୱାମୀଜୀ ମହାରାଜଙ୍କ ଦ୍ୱାରା ୧୯୩୫ ମସିହାରେ ହୋଇଥିଲା । କୁହାଯାଏ ସ୍ୱାମୀଜୀଙ୍କୁ ଧୂମବତୀଙ୍କ ମନ୍ଦିର ସ୍ଥାପନ ନକରିବାକୁ ବିଦ୍ୱାନମାନେ ପରାମର୍ଶ ଦେଇଥିଲେ । ମାତ୍ର ସ୍ୱାମୀଜୀ ମା’ ଭକ୍ତ ପାଇଁ ମଙ୍ଗଳମୟୀ ବୋଲି ଦର୍ଶାଇଥିଲେ । ଆଶ୍ଚର୍ଯ ର କଥାହେଲା, ଯେଉଁଦିନ ଧୂମବତୀ ମନ୍ଦିର ପ୍ରତିଷ୍ଠା ହୋଇଥିଲା, ଏହାର ଠିକ ବର୍ଷକ ପରେ ସେହିଦିନ ସ୍ୱାମିଜୀ ସ୍ୱଇଚ୍ଛାରେ ବ୍ରହ୍ମଲୀନ ହୋଇଯାଇଥିଲେ ।
ଜୈଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତୀଥିରେ ଧୂମାବତୀଙ୍କର ଜୟନ୍ତି ପାଳିତ ହୁଏ । ମା’ ଧୂମାବତୀଙ୍କୁ ମା’ ପାର୍ବତୀଙ୍କର ଉର୍ଗରୂପ ମାନାଯାଏ । ମା’ ଧଳାସାଢ଼ୀ ପିନ୍ଧି ବିଧବା ବେଶ ଓ ମୁକୁଳା କେଶରେ ଭୟଙ୍କର ରୂପ ଧାରଣ କରି କାଉ ଉପରେ ବିରାଜମାନ ଥାଆନ୍ତି । ମା’ ଧୂମବତୀଙ୍କ ନିକଟରେ ଲବଣାକ୍ତ ଖାଦ୍ୟଦ୍ରବ ଯଥା- କଚୋଡ଼ି, ସିଙ୍ଗଡ଼ା ଇତ୍ୟାଦି ଭୋଗ ଲାଗି ହୋଇଥାଏ । ମକଦ୍ଦମାରେ ବିଜୟ, ଶତ୍ରୁକବଳରୁ ରକ୍ଷା ପାଇବାର ମାନସିକ ପୂରଣ ପାଇଁ ମା’ଙ୍କୁ ପ୍ରାର୍ଥନା କରିବାକୁ ଶ୍ରଦ୍ଧାଳୁ ମାନେ ବର୍ଷ ତମାମ ଏଠାକୁ ଆସିଥାନ୍ତି ।




admin 