ମହାରାଷ୍ଟ୍ର ତାତି, କମ୍ପିଲା ଦୁଇ ସଦନ
ମହାରାଷ୍ଟ୍ର ତାତି, କମ୍ପିଲା ଦୁଇ ସଦନ
admin
Nov 25, 2019 - 10:54
Updated: Nov 25, 2019 - 10:54
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ହଟଚମଟକୁ ନେଇ ସଂସଦର ଉଭୟ ଗୃହରେ ସୋମବାର ହଙ୍ଗାମା ହୋଇଛି। ମହାରାଷ୍ଟ୍ର ତାତିକୁ ନେଇ ଦୁଇଟି ଯାକ ସଦନ କମ୍ପିଛି। ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଲୋକସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଙ୍ଗାମା କରିଥିଲେ। କଂଗ୍ରେସ ସାଂସଦ ହିବି ଇଡେନ ଓ ଟି.ଏନ. ପ୍ରତାପନ ଏବଂ ଗୃହର ମାର୍ଶଲମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଫଳରେ ଗୃହର ଅଧ୍ୟକ୍ଷ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ରଖିଥିଲେ।
ନାରାବାଜି ମଧ୍ୟରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରାଇଥିଲେ। ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ପ୍ରସଙ୍ଗରେ ପ୍ରଶ୍ନ କରିବା ଲାଗି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାମ ନେଇଥିଲେ। ରାହୁଲ ଶୀତକାଳୀନ ଅଧିବେଶନରେ ସୋମବାର ପ୍ରଥମ ଥର ପାଇଁ ଗୃହକୁ ଆସିଥିଲେ। କିନ୍ତୁ ସେ ପ୍ରଶ୍ନ କରିବାକୁ ମନା କରିଦେଇଥିଲେ। ସେ କହିଥିଲେ ମହାରାଷ୍ଟ୍ରରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ତେଣୁ ମୋର ପ୍ରଶ୍ନ କରିବାରେ କୌଣସି ଅର୍ଥ ନାହିଁ। ଏହା ମଧ୍ୟରେ ବାଚସ୍ପତି କଂଗ୍ରେସର ଦୁଇ ସାଂସଦ ଇଡେନ ଏବଂ ପ୍ରତାପନଙ୍କୁ ପୋଷ୍ଟର ପ୍ରଦର୍ଶନ ନ କରିବାକୁ ଚେତାବନୀ ଦେଇଥିଲେ। ମାତ୍ର ସେମାନେ ନ ଶୁଣିବାରୁ ସେମାନଙ୍କୁ ଗୃହରୁ ବାହାର କରିବା ଲାଗି ମାର୍ଶଲଙ୍କୁ ବାଚସ୍ପତି ନିର୍ଦେଶ ଦେଇଥିଲେ। ମାର୍ଶଲମାନେ ଉଭୟଙ୍କୁ ବାହାରକୁ ନେବାକୁ ଉଦ୍ୟମ କରିବା ସମୟରେ ଠେଲାପେଲା ଏବଂ ଧକ୍କା ମରାମରି ହୋଇଥିବା ଦେଖାଯାଇଥିଲା। ହଙ୍ଗାମା ବଢ଼ିବାରୁ ବାଚସ୍ପତି ଗୃହକୁ ସ୍ଥଗିତ ରଖିଥିଲେ।