ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କୁ ଏମିତି ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କୁ ଏମିତି ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ନିଜ ବିବୃତିରେ କହିଛନ୍ତିଯେ, ମମିତା ମେହେରଙ୍କ ମୃତ୍ୟୁ ଏକ ଦୁଃଖଦାୟକ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏଥିପାଇଁ ଆମେ ସମସ୍ତେ ବ୍ୟଥିତ । ମମିତା ଓଡ଼ିଶାର ଉଜ୍ଜ୍ୱଳ ପ୍ରତିଭା ଥିବାବେଳେ ତାଙ୍କର ସୁନ୍ଦର ଭବିଷ୍ୟତ ରହିଥିଲା । ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି । ତାଙ୍କର ପରିବାରକୁ ସେ ସମବେଦନା ଜଣାଉଛନ୍ତି ବୋଲି ନବୀନ କହିଛନ୍ତି ।
ଯଥାସମ୍ଭବ କମ ସମୟ ମଧ୍ୟରେ ଆଇନ ଅନୁଯାୟୀ ଏହି ଅପରାଧର ଅପରାଧିମାନଙ୍କୁ ଦଣ୍ଡିତ କରିବା ପାଇଁ ତାଙ୍କ ସରକାର ସୁନିଶ୍ଚିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ତେବେ ଏହି ସମ୍ବେଦନଶୀଳ ଓ ଭୟାନକ ଅପରାଧ ପରେ ଯେଉଁଭଳି ଭାବେ ତାହାର ରାଜନୀତିକରଣ କରାଯାଉଛି ତାହା ତାଙ୍କୁ ବ୍ୟଥିତ କରୁଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ବ୍ୟବହାର କରିବା ବେଳେ ପୀଡ଼ିତାଙ୍କ ପରିବାରର ଯନ୍ତ୍ରଣା ଓ ଦୁଃଖକୁ ଭୁଲିଯିବା ଉଚିତ ନୁହେଁ । ସ୍ଥିତି ଏମିତି ସ୍ତରକୁ ଯାଇଛିଯେ, ପୀଡ଼ିତାର ବାପାମା’ ତାଙ୍କ ଝିଅର ଚରିତ୍ର ହାନି ଓ ମୃତ୍ୟୁର ରାଜନୀତିକରଣ ନକରିବା ପାଇଁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି । ସେମାନଙ୍କର ଭାବପୂର୍ଣ୍ଣ ନିବେଦନ ସତ୍ୱେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯାଉଛି ବୋଲି ନବୀନ କହିଛନ୍ତି ।
ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ସବୁବେଳେ ମହିଳା ଓ ଅବହେଳିତ ବର୍ଗଙ୍କୁ ନ୍ୟାୟକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଏହି ମାମଲାରେ ଦୋଷୀଙ୍କୁ ତୁରନ୍ତ ଦଣ୍ଡିତ କରିବା ପାଇଁ ଫାଷ୍ଟଟ୍ରାକ ଶୁଣାଣୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ୱାଧୀନ ବିଚାରବ୍ୟବସ୍ଥା ହେଉଛି ଆମ ଗଣତନ୍ତ୍ରର ପରିଚୟ । ତଦନ୍ତରେ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାର ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସର ପ୍ରାପ୍ତ ବିଚାରପତି ଅଥବା ଜିଲ୍ଲା ସେସନ୍ସ ବିଚାରପତିଙ୍କ ଦ୍ୱାରା ତଦନ୍ତ ପ୍ରକ୍ରିୟା ଅନୁଧ୍ୟାନ ପାଇଁ ହାଇକୋର୍ଟଙ୍କୁ ପତ୍ର ଲେଖିଛନ୍ତି । ହାଇକୋର୍ଟ ମଧ୍ୟ ଏହାର ତଦନ୍ତ ନୀରିକ୍ଷଣ କରିବା ନିମନ୍ତେ ଜଣେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତିଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି । ସମ୍ପ୍ରତି ପୁଲିସ ତଦନ୍ତ ପ୍ରକ୍ରିୟା ବିଚାରବିଭାଗ ଦ୍ୱାରା ଯାଂଚ କରାଯିବ । ଆମର ସ୍ୱାଧୀନ ବିଚାର ବ୍ୟବସ୍ଥା ପ୍ରତି ଆମର ସମ୍ମାନ ଓ ବିଶ୍ୱାସ ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପୁଲିସ ଯେଭଳି ସ୍ୱାଧୀନ ଭାବେ କାର୍ଯ୍ୟ କରିବ ତାହା ସେ ସୁନିଶ୍ଚିତ କରିଆସୁଛନ୍ତି । ବିଶେଷକରି ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ଅପରାଧିମାନଙ୍କ ବିରୋଧରେ ବିନା ଭୟରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ପୁଲିସକୁ ସ୍ୱାଧୀନତା ଦେଇଛନ୍ତି । ପ୍ରମାଣ ଥିଲେ ଦୋଷୀ ଯେତେ କ୍ଷମତାଶାଳୀ ହେଲେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଯଦି ତଦନ୍ତରେ କୌଣସି ପୁଲିସ ଅବହେଳା କରୁଥିବେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିରୋଧୀଙ୍କ ସିବିଆଇ ତଦନ୍ତ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଅତୀତରେ ମହିଳାମାନଙ୍କ ବିରୋଧରେ ଅନେକ ସମ୍ବେଦନଶୀଳ ଘଟଣା ଘଟିଛି । ଏହାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯାଇଛି । କିନ୍ତୁ କୌଣସି ମାମଲାରେ ପୁଲିସ ତଦନ୍ତରେ ଅବହେଳା ହୋଇଥିବା ଦେଖିବାକୁ ମିଳିନାହିଁ । ଏବେ ଏହି ମାମଲାର ତଦନ୍ତ ବିଚାର ବିଭାଗ ଦ୍ୱାରା ଯାଂଚ କରାଯାଉଛି । ଯଦି କାହା ବିରୋଧରେ କୌଣସି ପ୍ରମାଣ ରହିଥିବ ତାହାକୁ ଅଦାଲତକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।




admin 