ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିଜେପି ଓ ଶାସକ ମୁହାଁମୁହିଁ

ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିଜେପି ଓ ଶାସକ ମୁହାଁମୁହିଁ

ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ବିଜେପି ଓ ଶାସକ ମୁହାଁମୁହିଁ

ଭୁବନେଶ୍ବର : ଆଇଆର୍‌ଟିଏସ୍ ସେବାରୁ ଅବସର ନେଇଥିବା ମନୋଜ ମିଶ୍ରଙ୍କୁ ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦେବା ପରେ ଏହାକୁ ନେଇ ବିବାଦ ଘନେଇଛି। ରାଜ୍ୟ ସରକାର ବିନା ବିଜ୍ଞାପନରେ କିପରି ମନୋଜ ମିଶ୍ରଙ୍କୁ ପ୍ରମୁଖ ସଚିବ ଭାବେ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେଲେ ତାହାର ଜବାବ ମାଗିଛି ବିଜେପି। ଏହି ପ୍ରସଙ୍ଗରେ ବିଜେଡି ବି ଉତ୍ତର ରଖିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ ଦଳର ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ସୁଦର୍ଶନ ନାୟକ କହିଛନ୍ତି ଯେ, ଶ୍ରୀ ମିଶ୍ର ଭାରତୀୟ ରେଲୱେ ଟ୍ରାଫିକ୍ ସେବାରୁ ଇଚ୍ଛାକୃତ ଅବସର ନେବା ପରଦିନ ତାଙ୍କୁ ରାଜ୍ୟ ସରକାର ବେଆଇନ ଓ ଇଚ୍ଛାଧୀନ ଭାବେ ପ୍ରମୁଖ ସଚିବ ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଛନ୍ତି। ଯାହା ଭାରତୀୟ ପ୍ରଶାସନିକ ଇତିହାସରେ ବିରଳ ଅଟେ। ଶ୍ରୀ ମିଶ୍ରଙ୍କୁ ଶାସନ ସଚିବ ପଦବିରେ ଅଳଙ୍କୃତ କରି ରାଜ୍ୟ ସରକାର ସମ୍ବିଧାନର ଧାରା ୧୪ ଓ ୧୬କୁ ବିରୋଧ କରିବା ସହ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ଓଡ଼ିଶା ଆଇଏଏସ୍ କ୍ୟାଡରରେ ୯ଟି ପ୍ରମୁଖ ଶାସନ ସଚିବ ପଦବି ରହିଛି। ପ୍ରଶାସନର ଆବଶ୍ୟକତାକୁ ନେଇ ରାଜ୍ୟ ସରକାର ଚାହିଁଲେ ଆଉ ୯ଟି ଏକ୍ସ-କ୍ୟାଡର ପଦବିରେ ଏଭଳି ନିଯୁକ୍ତି ଦେଇପାରିବେ। କିନ୍ତୁ ଓଡ଼ିଶାରେ ଏସବୁ କ୍ୟାଡର ଓ ଏକ୍ସ କ୍ୟାଡର ପଦବି ପୂରଣ ହୋଇସାରିଥିବାବେଳେ କୌଣସି ପଦବି ଖାଲି ନଥାଇ କିପରି ଶ୍ରୀ ମିଶ୍ରଙ୍କୁ ପ୍ରମୁଖ ସଚିବ ପଦବିରେ ନିଯୁକ୍ତି ଦିଆଗଲା? ଓଡ଼ିଶା ଗଭର୍ଣ୍ଣମେଣ୍ଟ ରୁଲ୍ସ ଅଫ୍‌ ବିଜିନେସ୍ ଅନୁସାରେ ଜଣେ ଶାସନ ସଚିବ ବିଭିନ୍ନ ଷ୍ଟାଚ୍ୟୁଟାରି ଦାୟିତ୍ୱ ନିର୍ବାହ କରିଥାନ୍ତି। ଏପରିକି ବିଭିନ୍ନ ଆର୍ଥିକ କ୍ଷମତାର ଅଧିକାରୀ ହୋଇଥାନ୍ତି। ଜଣେ ଚୁକ୍ତିଭିତ୍ତିକ ଶାସନ ସଚିବ ଏଭଳି କ୍ଷମତାର ଅଧିକାରୀ ହୋଇ କିଭଳି ନିରପେକ୍ଷତା ଅବଲମ୍ବନ କରିବେ? ଅପରପକ୍ଷେ ଶ୍ରୀ ମିଶ୍ର ଆଇଟି କିମ୍ବା ଇଲେକ୍ଟ୍ରୋନିକ୍ସର ବିଶେଷଜ୍ଞ ନୁହନ୍ତି। ତାଙ୍କୁ ଏଭଳି ବେଆଇନ ନିଯୁକ୍ତି ଦେବାରେ କି ରାଜନୈତିକ ଉଦ୍ଦେଶ୍ୟ ରହିଛି? ରାଜ୍ୟ ସରକାର ଓଡ଼ିଶାର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଅମଲାତନ୍ତ୍ରୀ ସୃଷ୍ଟି କରିବା ସହ ଭବିଷ୍ୟତରେ ଉଚ୍ଚ ପଦପଦବି କିଣାବିକା ହେବାର ବ୍ୟବସ୍ଥା କରୁଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।