ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଲେ ଧର୍ମେନ୍ଦ୍ର, କହିଲେ ଏମିତି କିଛି
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଲେ ଧର୍ମେନ୍ଦ୍ର, କହିଲେ ଏମିତି କିଛି
ନିଶ୍ଚିନ୍ତକୋଇଲି: ଦୀର୍ଘବର୍ଷ ହେଲା କ୍ଷମତାରେ ଥିବା ବିଜେଡି ସରକାର ଓଡ଼ିଶାକୁ ଲୁଟୁଛି । ଆଜି ବି ରାଜ୍ୟର ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ଆଉ ନୁହେଁ ୨୨ ବର୍ଷର ଏହି ଲମ୍ୱା ଶାସନର ଗର୍ବ ଓ ଦମ୍ଭ ଉଭୟକୁ ଭାଙ୍ଗିବାକୁ ହେବ । ଏଥିପାଇଁ ଏକ ବଡ଼ ରାଜନୈତିକ ଆନ୍ଦୋଳନର ଆବଶ୍ୟକତା ରହିଛି । ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗକୁ ନେଇ ୨୦୨୩ରେ ବିଜେପି ଜନଜାଗରଣ ସୃଷ୍ଟି କରିବ ବୋଲି ରବିବାର କଟକ ନିଶ୍ଚିନ୍ତକୋଇଲିଠାରେ ଆୟୋଜିତ ମଣ୍ଡଳ ବୈଠକ, ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଣ୍ଡଳ ପ୍ରବାସ କାର୍ୟ୍ୟକ୍ରମ ଅବସରରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅସୁରେଶ୍ୱର ମଣ୍ଡଳ ଏବଂ ନିଶ୍ଚିନ୍ତକୋଇଲି ମଣ୍ଡଳ କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ନିଶ୍ଚିନ୍ତକୋଇଲିରେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି, ସ୍ଥାନୀୟ ସରକାର ଏକ ଅପାରଗ, ସ୍ଥାଣୁ ଓ ସମ୍ୱେଦନହୀନ ସରକାର । ଆବାସ ଯୋଜନାରେ ଘର ଆବଣ୍ଟନରେ ଦୁର୍ନୀତି କଥା ଉଠାଇବାରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେପି କାର୍ୟ୍ୟକର୍ତ୍ତା କୁଳମଣି ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ତାଙ୍କର ବି ସନ୍ଦେହଜନକ ଭାବେ ହତ୍ୟା ହେଲା । କୁଳମଣିଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିବାସୀ ଏହାର ଜବାବ୍ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଈର୍ଷା କରି ଆୟୁଷ୍ମାନ ଭାରତ ଭଳି ଜନକଲ୍ୟାଣ ଯୋଜନା ରାଜ୍ୟରେ ଲାଗୁ କରାନଯିବା ଚିନ୍ତାଜନକ । ଓଡ଼ିଶାରେ ମୋଦିଙ୍କ କଲ୍ୟାଣକାରୀ ଯୋଜନାକୁ ପ୍ରତିହତ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି । କିନ୍ତୁ ଏ ପରମ୍ପରାକୁ ନଭାଙ୍ଗିଲେ ଆସନ୍ତା ପିଢ଼ିଙ୍କ ଭବିଷ୍ୟତ ବରବାଦ ହେବ । ଏଥିପାଇଁ ଏକ ବଡ଼ ରାଜନୈତିକ ଆନ୍ଦୋଳନ ଆଗାମୀ ଦିନରେ ନିଶ୍ଚିତ ଭାବେ ହେବ । ଏଥିପାଇଁ ଏକ ଦୃଢ଼ ରାଜନୈତିକ ସଂଗଠନ ସୃଷ୍ଟି କରିବା ଆମ କାର୍ୟ୍ୟକ୍ରମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।




admin 