ମତଲବୀ ଦଳ ବଦଳାନ୍ତି: ନିରଞ୍ଜନ
ମତଲବୀ ଦଳ ବଦଳାନ୍ତି: ନିରଞ୍ଜନ
ଭୁବନେଶ୍ୱର: ଯିଏ ମତଲବି ସେ ଏ ଦଳରୁ ସେ ଦଳ, ସେ ଦଳରୁ ଏ ଦଳ ହେବେ । ଦଳ ଛାଡ଼ି ଅନ୍ୟ ଦଳକୁ ଯାଉଥିବା ନେତାଙ୍କ ଉଦେ୍ଧଶ୍ୟରେ ଏଭଳି କଟୁ ବାଣୀ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଦଳ ଛାଡିବା ନେଇ ସେ କହିଛନ୍ତି, ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।
ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଦଳ ଛାଡ଼ିବା ଚର୍ଚ୍ଚା ନେଇ ନିରଞ୍ଜନ କହିଛନ୍ତି, ପ୍ରଦୀପ ଏବେ କଂଗ୍ରେସରେ ଅଛନ୍ତି । ଯିଏ ଯିବା କଥା ଯିବେ । ଅତୀତରେ ବହୁ ନେତା ଦଳ ଛାଡ଼ିଛନ୍ତି, କିନ୍ତୁ କଂଗ୍ରେସ ଅଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ରଶେଖର ବୁଧବାର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ରଶେଖର । ଏହାପୂର୍ବରୁ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚନ୍ଦ୍ରଶେଖର ମାଝୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ଚନ୍ଦ୍ରଶେଖର । ଆଉ ଏହାସହ ବ୍ୟକ୍ତିଗତ କାରଣ ପାଇଁ କଂଗ୍ରେସରୁ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଥିଲେ ଚନ୍ଦ୍ରଶେଖର । ଏପରିକି କଂଗ୍ରେସ ଦଳ ନିକଟରେ ସର୍ବଦା କୃତଜ୍ଞ ରହିବି ବୋଲି କହିଥିଲେ ଚନ୍ଦ୍ରଶେଖର ।
ଅନ୍ୟପକ୍ଷରେ ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ି ପାରନ୍ତି ଏବଂ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ସରଗରମ ହୋଇଛି। ଯଦିଓ ପ୍ରଦୀପ ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି ତଥାପି ତାଙ୍କ ସମର୍ଥକ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ନିଜ ସମର୍ଥକଙ୍କ ସହ ପ୍ରଦୀପ ଦଳ ଛାଡ଼ିବେ ବୋଲି କୁହାଯାଉଛି । ଏପରିକି ପ୍ରଦୀପ ବି ନିଜ ବିଶ୍ୱସ୍ତ କର୍ମୀ ଏବଂ ନେତାଙ୍କ ସହ ବି ଏ ନେଇ ବିଚାର କରୁଥିବା ଜଣାପଡ଼ିଛି । ତେବେ ସେ କେଉଁ ଦଳରେ ଯୋଗଦେବେ ସେ ନେଇ ତାଙ୍କ ନିକଟତମ ମହଲରୁ କିଛି ସ୍ପଷ୍ଟ ଉତ୍ତର ମିଳୁନାହିଁ ।ତଥାପି ବିଜେଡି ଯାଇପାରନ୍ତି ବୋଲି ଅଧିକ ଚର୍ଚ୍ଚା ହେଉଛି ।




admin 