ମଠ ଛାଡିବାକୁ ମହନ୍ତ ଅରାଜି

ମଠ ଛାଡିବାକୁ ମହନ୍ତ ଅରାଜି

ମଠ ଛାଡିବାକୁ ମହନ୍ତ ଅରାଜି
ପୁରୀ: କୌଣସି ହାଲତରେ ମୁଁ ମଠ ଭିତରର ବାସଗୃହ ଛାଡ଼ିବିନି । ଏଭଳି କହିଛନ୍ତି ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ । ସେ କହିଛନ୍ତି ଯେ, ପ୍ରଶାସନ ଆଲୋଚନାବେଳେ ବାସଗୃହ ଭାଙ୍ଗିବନି ବୋଲି କହିଥିଲା । ମୁଁ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ କହିଥିଲା । ଏବେ ବିଭିନ୍ନ ସମୟରେ ବିଭିନ୍ନ କଥା ପ୍ରଶାସନ ପକ୍ଷରୁ କୁହାଯାଉଛି । ତେବେ କୌଣସି ହାଲତରେ ମୁଁ ମଠ ଭିତରର ବାସଗୃହ ଛାଡ଼ିବିନି । ଅନ୍ୟପକ୍ଷରେ ମହନ୍ତଙ୍କ ରହିବା ପାଇଁ ବରାଦ ମୁତାବକ ଆସିଥିବା କଣ୍ଟେନରକୁ ନେଇ ମଧ୍ୟ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କଣ୍ଟେନରରେ ରହିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ସେହିପରି ପ୍ରଶାସନ ପକ୍ଷରୁ ମଠରୁ ବିଦୁ୍ୟତ କାଟି ଦିଆଯାଉଥିବା ମହନ୍ତ ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ବିଦୁ୍ୟତ କାଟିଦିଆଯାଉଥିବାରୁ ଚଳିବାକୁ ଅସୁବିଧା ହେଉଥିବା ଶ୍ରୀ ଦାସ କହିଛନ୍ତି । ମୁଁ ଅସୁସ୍ଥ ଅଛି, ମୋତେ ବିଶ୍ରାମ ଦରକାର ବୋଲି ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଛନ୍ତି । ପ୍ରକାଶ ଯେ, ପୁରୀ ଏମାର ମଠରେ ଉଚ୍ଛେଦ କାମ ଚାଲିଛି । ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ପୁରା ମଠ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୯୦୦ ବର୍ଷର ଏହି ପୁରୁଣା ମଠର ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ମଠ ମହନ୍ତ ବାଧକ ସାଜିଛନ୍ତି । ଅନ୍ୟପକ୍ଷରେ ମହନ୍ତଙ୍କ ରହିବା ପାଇଁ ଆସିଥିଲା ବରାଦ ମୁତାବକ କଣ୍ଟେନର । ୩୫ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡ଼ାର କଣ୍ଟେନରକୁ ଅଣାଯାଇଥିଲା । ତେବେ ମଠ ମହନ୍ତ ଉକ୍ତ କଣ୍ଟେନର ଭିତରକୁ ଯିବାକୁ ଅମଙ୍ଗ ହେଉଛନ୍ତି । ଗତକାଲି ଅର୍ଥାତ ଶୁକ୍ରବାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଥିଲେ ଯେ, ଏମାର ମଠ ଉଚ୍ଛେଦ ପୂର୍ବରୁ ପ୍ରଶାସନ ଆଲୋଚନା କରିଥିଲା । ଆଲୋଚନା ସମୟରେ ମଠର ଆଂଶିକ ଉଚ୍ଛେଦ ନେଇ ସମ୍ମତି ଦିଆଯାଇଥିଲା । ମଠର ଅବ୍ୟବହ୍ୟତ କୋଠି ଓ ବିପଦସଙ୍କୁଳ ଘରକୁ ଉଚ୍ଛେଦ ପାଇଁ ସମ୍ମିତି ଦିଆଯାଇଥିଲା । ସାଧାରଣ ଲୋକଙ୍କ କାମରେ ଆସିବାନେଇ ସମ୍ମତି ଦିଆଯାଇଥିଲା । ତେବେ ରଘୁନନ୍ଦନ ଲାଇବ୍ରେରୀର ଉଚ୍ଛେଦ ନେଇ କୁହାଯାଇନଥିଲା । ଲାଇବ୍ରେରୀର ଉଚ୍ଛେଦ ନେଇ ତାଙ୍କୁ କୁହାଯାଇନଥିବା ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଥିଲେ । ସେ କହିଥିଲେ ଯେ, ଲାଇବ୍ରେରୀ ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ପ୍ରଶାସନର ଅନୁମତି ନେଇ ଲକ୍ଷାଧିକ ଖର୍ଚ୍ଚରେ ଲାଇବ୍ରେରୀର ମରାମତି କରାଯାଇଥିଲା । ତେବେ ପ୍ରଶାସନ ନିଜ ଇଚ୍ଛା ଅନୁସାରେ ଲାଇବ୍ରେରୀ ଭାଙ୍ଗିଥିବା ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଥିଲେ ।