ଭୁବନେଶ୍ୱର ଏମ୍ସ କମିଟି ସଦସ୍ୟ ନିର୍ବାଚନ, ସାଂସଦ ଅମର ପଟ୍ଟନାୟକ ବିଜୟୀ
ଭୁବନେଶ୍ୱର ଏମ୍ସ କମିଟି ସଦସ୍ୟ ନିର୍ବାଚନ, ସାଂସଦ ଅମର ପଟ୍ଟନାୟକ ବିଜୟୀ
admin
Dec 7, 2019 - 10:00
Updated: Dec 7, 2019 - 10:00
ନୂଆଦିଲ୍ଲୀ : ଭୁବନେଶ୍ୱର ଏମ୍ସ କମିଟି ସଦସ୍ୟ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଶେଷ ମୁହୂର୍ତ୍ତରେ ବିଜେପି ଓହରି ଯାଇଛି । ବିଜେଡିକୁ ବିଜେପି ବାଟ ଛାଡ଼ି ଦେବା ପରେ ରାଜ୍ୟସଭା କୋଟାରୁ ଭୁବନେଶ୍ୱର ଏମ୍ସ କମିଟି ସନସ୍ୟ ଭାବେ ବିଜେଡି ସାଂସଦ ଅମର ପଟ୍ଟନାୟକ ବିଜୟୀ ହୋଇଛନ୍ତି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଖୁବ ଶୀଘ୍ର ବିଦ୍ଧିବଦ୍ଧ ଭାବେ ନିର୍ବାଚନୀ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି । ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ଓହରି ଯିବା ପରେ ରାଜ୍ୟ ସଭାରେ ମାତ୍ର ୭ ଜଣ ସଦସ୍ୟ ବିଶିଷ୍ଟ ବିଜେଡି ଦଳ ତଥା ପ୍ରାର୍ଥୀ ଡକ୍ଟର ଅମର ପଟ୍ଟନାୟକଙ୍କ ବିଜୟ ରାସ୍ତା ସହଜରେ ଖୋଲି ଯାଇଥିଲା । ନିର୍ବାଚନରେ ବିଜେପି ଓ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳର ସମର୍ଥନ ବିଜେଡି ପ୍ରାର୍ଥୀଙ୍କୁ ମିଳିଥିଲା ।
ସୂଚନା ଅନୁଯାୟୀ ଜାତୀୟ ରାଜନୈତିକ ଦୃଶ୍ୟପଟରେ ଭୁବନେଶ୍ୱର ଏମ୍ସ କମିଟି ନିର୍ବାଚନ ଭଳି ଏକ କମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ସହ ସିଧାସଳଖ ମୁକାବିଲା କରିବାକୁ ଚାହିଁ ନଥିଲା ବିଜେପି । ଚଳିତ ଶୀତଳକାଳୀନ ଅଧିବେଶନ ଶେଷସପ୍ତାହରେ କେନ୍ଦ୍ର ସରକାର ସଂସଦରେ ନାଗରିକତ୍ୱ ଆଇନ ସଂଶୋଧନ ବିଧେୟକ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିବାର ସମ୍ଭାବନା ରହିଛି । ରାଜ୍ୟସଭାରେ ନିର୍ବିଘ୍ନରେ ବିଧେୟକଗୁଡ଼ିକୁ ପାରିତ କରିବା ପାଇଁ ବିଜେଡିର ସମର୍ଥନ ନିହାତି ଆବଶ୍ୟକ । ତେଣୁ ବିଜେପି ଭୁବନେଶ୍ୱର ଏମ୍ସ ସଦସ୍ୟ ନିର୍ବାଚନ ପ୍ରସଙ୍ଗରେ ବିଜେଡିକୁ ବାଟ ଛାଡ଼ି ଦେବା ନେଇ ରାଜନୈତିକ ସ୍ତରରେ ଚର୍ଚ୍ଚା ହେଉଛି ।