ଭାରତରେ ୩.୨ ଲକ୍ଷ କୋଟି ବିନିଯୋଗ କରିବ ଜାପାନ
ଭାରତରେ ୩.୨ ଲକ୍ଷ କୋଟି ବିନିଯୋଗ କରିବ ଜାପାନ
ନୂଆଦିଲ୍ଲୀ: ଭାରତରେ ୪୨ ବିଲିୟନ ଡଲାର ବା ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଆସନ୍ତା ୫ ବର୍ଷ ମଧ୍ୟରେ ଏତେ ପରିମାଣର ପୁଞ୍ଜି ନିବେଶ କରିବାକୁ ଜାପାନ ଲକ୍ଷ୍ୟ ରଖିଥିବା ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
ଏହି ଘୋଷଣା ପୂର୍ବରୁ ସେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଦିଲ୍ଲୀରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି। ଏହାପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦି ଏପରି ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତରେ ପୁଞ୍ଜିନିବେଶ ପରିମାଣକୁ ବୃଦ୍ଧି କରିବାକୁ ଜାପାନ ଲକ୍ଷ୍ୟ ରଖିଛି। ଜାପାନ ସରକାର ଆସନ୍ତା ୫ ବର୍ଷରେ ୫ ଟ୍ରିଲିୟନ ୟେନ ବା ୩.୨ ଲକ୍ଷ କୋଟି ଟଙ୍କା ନିବେଶ କରିବେ। ଆଜି ଏନେଇ ନିଷ୍ପତ୍ତି ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ଗଢ଼ିଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବ। ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଏହି ପୁଞ୍ଜିନିବେଶ ହେବ।
ପିଏମଓ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ଦୁଇ ଦେଶର ନେତାଙ୍କ ମଧ୍ୟରେ ବେଶ ସକାରାତ୍ମକ ଆଲୋଚନା ହୋଇଛି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଅର୍ଥନୀତିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ଉପରେ କଥାବାର୍ତ୍ତା କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ ଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କୁ ଏୟାରପୋର୍ଟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଗତ କରିଥିଲେ। ଏହାପରେ ସେ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ହେବା ପରେ ଫୁମିଓଙ୍କ ଏହା ପ୍ରଥମ ଭାରତ ଗସ୍ତ।
୨୦୧୪ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ଆସନ୍ତା ୫ ବର୍ଷରେ ଭାରତରେ ୩.୫ ଟ୍ରିଲିୟନ ୟେନର ପୁଞ୍ଜି ନିବେଶ କରାଯିବ ବୋଲି ଘୋଷଣା କରିଥିଲେ। ଜାପାନ ସରକାର ଭାରତର ସହରୀ ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ସହଯୋଗ କରୁଛନ୍ତି। ଏଥିସହ ଜାପାନର ବୁଲେଟ ଟ୍ରେନ ଟେକ୍ନୋଲଜିରେ ଭାରତରେ ହାଇସ୍ପିଡ ରେଳ ରାଇନ ବିକାଶ କରିବାରେ ସହାୟତା ଯୋଗାଇ ଦେଉଛନ୍ତି।




admin 