ଭଗବାନଙ୍କ ଦ୍ୱିତୀୟ ଅବତାର ଡାକ୍ତର ...
ଭଗବାନଙ୍କ ଦ୍ୱିତୀୟ ଅବତାର ଡାକ୍ତର ...
admin
Jan 21, 2020 - 15:25
Updated: Jan 21, 2020 - 15:25
ମାଲକାନଗିରି - ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ ଏବଂ ଏହା ଆଜି ପ୍ରମାଣିତ ହୋଇଛି। ଦୁର୍ଗମ ଅଞ୍ଚଳରୁ ରୋଗୀକୁ ଡାକ୍ତର ଖଟିଆରେ ବୋହି ୩୦କିଲୋମିଟର ଦୂର ହସ୍ପିଟାଲ ନେଇଥିବା ଜଣାପଡ଼ିଛି। ମାଲକାନଗିରି ଭଳି ଦୁର୍ଗମ ଓ ଜଙ୍ଗଲିଆ ରାସ୍ତାରେ ଆମ୍ବୁଲାନ୍ସ ଯାଇପାରୁନଥିବା ବେଳେ ରୋଗୀମାନଙ୍କ ପାଇଁ ଡାକ୍ତରମାନେ ଭଗବାନ ଭଳି କାମ କରୁଛନ୍ତି। ଏଭଳି ଘଟଣା ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ମାଓପ୍ରବଣ କୁର୍ମାନୁର ପଞ୍ଚାୟତର କଢିଡୁଲାଙ୍ଗୁଟି ଗ୍ରାମରେ ଘଟିଛି। ଗ୍ରାମର ରୀନା ବାରେ ନାମକ ଜଣେ ମହିଳା ଗର୍ଭବତୀ ଥିବା ବେଳେ ମଙ୍ଗଳବାର ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ଉକ୍ତ ଗ୍ରାମକୁ ପୋଲିଓ ଟିକା ଦାନ ନିମନ୍ତେ ଯାଇଥିବା ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କର ୫୫ ଜଣିଆ ଟିମ୍ ଘଟଣା ସମ୍ପର୍କରେ ଶୁଣି ତାଙ୍କ ଘରେ ପହଞ୍ଚି ପ୍ରସବ କରିଥିଲେ। ତେବେ ମହିଳା ଜଣଙ୍କ ଏକ ଶିଶୁକୁ ଜନ୍ମ ଦେବା ପରେ ଅସୁସ୍ଥ ହୋଇ ପଡିଥିଲେ। ସେଠାରୁ ଡାକ୍ତର ତାଙ୍କର ପାଞ୍ଚ ଜଣିଆ ଡାକ୍ତରୀ ଦଳ ସହ ତାଙ୍କୁ ଖଟିଆରେ ବୋହି ନେଇଥିଲେ। ପ୍ରାୟ ୩୦ କିଲୋମିଟର ଦୁର୍ଗମ ପାହାଡ଼, ଜଙ୍ଗଲ ଦେଇ କାନ୍ଧରେ ବୋହି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଇଥିଲେ। ସେଠାରେ ମାଆ ଓ ନବଜାତକଙ୍କୁ ଚିକିତ୍ସା କରାଯାଉଛି। ବର୍ତ୍ତମାନ ଉଭୟ ସୁସ୍ଥ ଥିବା ଚିକିତ୍ସାକାରୀ ଡାକ୍ତର ନିର୍ମଳ ନାୟକ ପ୍ରକାଶ କରିଛନ୍ତି। ତେବେ ଡାକ୍ତର ଓ ତାଙ୍କ ଦଳର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି। ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳର ରାସ୍ତାଘାଟ ଖରାପ ଥିବାରୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରୁନାହିଁ। ଫଳରେ ବିଭିନ୍ନ ସମୟରେ ପ୍ରସୂତି ରାସ୍ତାରେ ପ୍ରସବ କରୁଛନ୍ତି। ସରକାର ମାଲକାନଗିରି ଜିଲ୍ଲାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମାଞ୍ଚଳର ରାସ୍ତାଘାଟର ଅବସ୍ଥା ଦେଖିଲେ ବିକାଶ କେତେ ଦୂର ହୋଇଛି ତାହା ସହଜରେ ଅନୁମାନ କରାଯାଇପାରେ।