ବେଗୁନିଆ : ବିଜେଡିରେ ହଲଚଲ
ବେଗୁନିଆ : ବିଜେଡିରେ ହଲଚଲ
admin
Mar 15, 2019 - 06:38
Updated: Mar 15, 2019 - 06:38
ଭୁବନେଶ୍ୱର : ଖୋର୍ଦ୍ଧା ରାଜନୀତିକ ପାଣିପାଗ ବଦଳିବାରେ ଲାଗିଛି । ଗୋଟିଏ ପଟେ ବିଜେପି ଛାଡ଼ି ଜିତୁ ମିତ୍ର ବିଜେଡ଼ିକୁ ଆସିଥିବାବେଳେ ଅପରପକ୍ଷରେ ରାଜେନ୍ଦ୍ର ସାହୁ ବେଗୁନିଆରୁ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାକୁ କିନ୍ତୁ ବେଗୁନିଆ ବିଜେଡ଼ି ପକ୍ଷରୁ ଘୋର ବିରୋଧ କରାଯାଇଛି । ଯଦି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏଭଳି ନିଷ୍ପତି ନିଅନ୍ତି ତେବେ ୧୯୯୫ ଭଳି ସ୍ଥିତି ସୃଷ୍ଟି ହେବବୋଲି ଦଳୀୟ କର୍ମୀମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଦଳୀୟ ଟିକେଟ ନମିଳିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କର୍ମୀମାନେ ଚାପ ପକାଉଥିବା ଜାଣିବାକୁ ମିଳିଛି ।
ଖୋର୍ଦ୍ଧାରେ ଦୁଇ ଥର ରାଜେନ୍ଦ୍ର ସାହୁ ନିର୍ବାଚନ ଜିଣିଛନ୍ତି । ପୂର୍ବରୁ ସେ ଖୋର୍ଦ୍ଧା ଏନଏସିର ନଗରପାଳ ଥିବାବେଳେ ତାଙ୍କ ପତ୍ନୀ ମଧ୍ୟ ଦୁଇଥର ନଗରପାଳ ହୋଇଥିଲେ । ଖୋର୍ଦ୍ଧାରେ ରାଜଙ୍କ ଦବଦବା ଥିବାବେଳେ ବିଜେପି ନେତା ଜିତୁ ମିତ୍ରଙ୍କ ସହ ତାଙ୍କର ଲଢ଼େଇ ଚାଲିଥିଲା । କିନ୍ତୁ ଏବେ ଜିତୁ ବିଜେଡ଼ିକୁ ଯିବା ପାଇଁ ଆଲୋଚନା ଆରମ୍ଭ କରିଦେଇଛନ୍ତି । ଜିତୁ ଯଦି ବିଜେଡ଼ିରେ ମିଶିବେ ତାଙ୍କୁ ଖୋର୍ଦ୍ଧାରୁ ଟିକେଟ ମିଳିବ । ତେବେ ରାଜେନ୍ଦ୍ରଙ୍କୁ ଥଇଥାନ କରିବା ପାଇଁ ଦଳ ଗଳା ବାଟ ବାହାର କରିଛି । ତାଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିବାକୁ ଯୋଜନା କରାଯାଇଛି । ଏମିତିକି ରାଜେନ୍ଦ୍ର ସାହୁ ନିଜ କର୍ମୀମାନଙ୍କୁ ଏନେଇ ସୂଚନା ଦେଇଥିବା ଜାଣିବାକୁ ମିଳିଛି । ରାଜେନ୍ଦ୍ରଙ୍କୁ ବେଗୁନିଆରୁ ବିଜେଡ଼ି ଟିକେଟ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବାବେଳେ ଏଭଳି ଚର୍ଚ୍ଚାର ପ୍ରଭାବ କିନ୍ତୁ ବେଗୁନିଆରେ ପରିଲକ୍ଷିତ ହୋଇଛି ।
ଏଭଳି ଚର୍ଚ୍ଚା ଜୋର ଧରିଥିବାରୁ ରବିବାର ରାତିରେ ୪୦ ପଂଚାୟତର ପ୍ରାୟ ୩୦୦ ଆଗଧାଡ଼ିର କର୍ମୀ ମେଳ ହୋଇଥିଲେ । ବେଗୁନିଆରେ କର୍ମୀମାନେ ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଆଲୋଚନା କରିଥିଲେ । ତେବେ ଏନେଇ ତାଙ୍କୁ ଉପର ମହଲରୁ କିଛି ସଂକେତ ମିଳିନଥିବା ନେଇ ଗଣେଶ ମତବ୍ୟକ୍ତ କରିଥିଳେ । ଅପରପକ୍ଷରେ ରାଜେନ୍ଦ୍ର ସାହୁ ନିଜ କର୍ମୀମାନଙ୍କୁ ଉପର ମହଲରୁ ବେଗୁନିଆରେ ଲଢ଼ିବାକୁ ସଂକେତ ମିଳିଛି ବୋଲି କହିଥିବାରୁ ତାହାକୁ ନେଇ ଘଂଟାଚକଟା ଆରମ୍ଭ ହୋଇଯାଇଥିଲା । ଯଦି ଏହି ଚର୍ଚ୍ଚାଟି ସତ ହୁଏ ତେବେ ବିଧାୟକ କି ନିଷ୍ପତି ନେବେବୋଲି କର୍ମୀମାନେ ପଚାରିଥିଲେ । ଏହାର ଉତରରେ ଶ୍ରୀ ଜଗଦ୍ଦେବ କହିଥିଲେଯେ, ସେ ଦଳ ସହ ଆରମ୍ଭରୁ ଅଛନ୍ତି । ବେଗୁନିଆରେ ଗତ ୧୭ ବର୍ଷ ଧରି ସଂଗଠନ ଜାରି ରଖିଛନ୍ତି । ଗତ ନିର୍ବାଚନରେ ସେ ୪୦ ହଜାର ଭୋଟରେ ବିଜୟୀ ହୋଇଥିବାବେଳେ ପଂଚାୟତ ନିର୍ବାଚନରେ ୩ ଜିଲ୍ଲା ପରିଷଦ ଓ ୨ ବ୍ଲକ ଅକ୍ତିଆର କରିଛନ୍ତି । କଂଗ୍ରେସର ସବୁ ଭୋଟ ବିଜେପିକୁ ଚାଲିଯିବା ସହ ପ୍ରଶାନ୍ତ ନନ୍ଦଙ୍କ କର୍ମୀମାନେ ଉଦ୍ଦେଶ୍ୟମୂଳକ ଭାବେ ବିଜେପିକୁ ଭୋଟ ଦେବାରୁ ଦଳ ୩ଟି ଆସନରେ ପରାସ୍ତ ହୋଇଥିଲେ । ତଥାପିବି ବିଜେପି ଠାରୁ ବିଜେଡ଼ି ଢେର ଆଗରେ ରହିଛି । ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ ନିଷ୍ପତିକୁ ସେ ଗ୍ରହଣ କରିଆସିଛନ୍ତି । ଏବେବି ତାଙ୍କୁ ଟିକେଟ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି । ଯଦି ଟିକେଟ ନମିଳେ ତେବେ ଦଳୀୟ ସଭାପତି ଓ କର୍ମୀମାନଙ୍କ ସହ ଆଲୋଚନା କରିବା ପରେ ସେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ ।
ତେବେ ଗଣେଶଙ୍କ ଏଭଳି ମନ୍ତବ୍ୟକୁ କର୍ମୀମାନେ ସହଜରେ ଗ୍ରହଣ କରିପାରିନଥିଲେ । ରାଜେନ୍ଦ୍ର ସାହୁଙ୍କ ଟିକେଟ ମିଳିଲେ ଆପଣଙ୍କୁ ସ୍ୱାଧୀନ ଲଢ଼ିବାକୁ ପଡ଼ିବ ବୋଲି କର୍ମୀମାନେ ଜୋର ଦେଇଥିଲେ । ୧୯୯୫ରେ ଜନତା ଦଳ ଏଭଳି ଭୁଲ କରିଥିଲା । ସୁରୀ ମିଶ୍ରଙ୍କୁ ଟିକେଟ ନମିଳିବାରୁ ସମସ୍ତେ ତାଙ୍କୁ ସ୍ୱାଧୀନ ଭାବେ ଠିଆ କରାଇଥିଲେ । ଜନତା ଦଳ ପ୍ରାର୍ଥୀଙ୍କ ଅମାନତ ବି ହଜିଯାଇଥିଲା । ତେଣୁ ୨୦୧୯ରେ ଯଦି ଗଣେଶ ଜଗଦ୍ଦେବଙ୍କୁ ଟିକେଟ ନମିଳେ ତେବେ ରାଜେନ୍ଦ୍ର ସାହୁଙ୍କୁ ସମାନ ପରିଣାମ ଭୋଗିବାକୁ ପଡ଼ିବ । ସେହିପରି ନିଜ ଏରିଆ ଛାଡ଼ି କ୍ଷମତା ଲୋଭରେ ସେ ବେଗୁନିଆ ବୋଲଗଡ଼ ନଆସନ୍ତୁ ବୋଲି ରାଜେନ୍ଦ୍ର ସାହୁଙ୍କୁ ମଧ୍ୟ ବିଜେଡ଼ି କର୍ମୀମାନେ ପରୋକ୍ଷରେ ଚେତାବନୀ ଦେଇଛନ୍ତି । ଖୁବଶୀଘ୍ର ଜୋନୱାରୀ ସଭା ହେବା ସହ ଆବଶ୍ୟକ ପଡ଼ିଲେ ୩୦ ହଜାର ଲୋକ ନବୀନ ନିବାସ ଅଭିମୁଖେ ଯାତ୍ରା କରିବେ ବୋଲି ବେଗୁନିଆ ଓ ବୋଲଗଡ଼ ବିଜେଡ଼ି ପକ୍ଷରୁ ନିଷ୍ପତି ନିଆଯାଇଛି ।