ବିଶ୍ବରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି: ରାଷ୍ଟ୍ରପତି
ବିଶ୍ବରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି: ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି। ସାରା ବିଶ୍ୱରେ ଭାରତରେ ଇଣ୍ଟରନେଟ୍ ଶୁଳ୍କ ସବୁଠାରୁ ଶସ୍ତା। ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ। ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି। ବଜେଟ୍ ଅଧିବେଶନ ପ୍ରାରମ୍ଭରେ ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କହିଛନ୍ତି ଯେ, ଆଗକୁ ହାଇୱେ, ରେଲୱେ ଓ ଏୟାରୱେଜ ଏକାଠି କାମ କରିବେ। ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିମିକୁ ବୃଦ୍ଧି ପାଇଛି। ଲଦାଖରେ ବିଶ୍ୱର ସର୍ବାଧିକ ଉଚ୍ଚତାରେ ଚଳାଚଳ କ୍ଷମ ରାସ୍ତା କରାଯାଇଛି। ନୂଆ ରେଳ ଲାଇନ ଓ ବିଦ୍ୟୁତକରଣ କାର୍ୟ୍ୟ ଦ୍ରୁତ ଗତିରେ ଚାଲୁଛି । ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି। କରୋନାର କଠିନ ପରିସ୍ଥିତି ଲକ୍ଷ୍ୟକୁ ଶୀଘ୍ର ହାସଲ ପାଇଁ ପ୍ରେରଣା ଦେଉଛି। ସରକାର ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ଦେଶର ଶକ୍ତିକୁ ପ୍ରତିପ୍ରଫଳିତ କରିଛି। କୋଭିଡ୍ ଭ୍ୟାକସିନ ଦେଶର ସାମର୍ଥ୍ୟକୁ ପ୍ରତିଫଳିତ କରୁଛି।
ସର୍ବାଧିକ ଭ୍ୟାକସିନ ଦେଇ ଦେଶ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୬୪ ହଜାର କୋଟିରେ ‘ଆୟୁଷ୍ମାନ ଭାରତ’ ଚାଲୁ ରହିଛି। କରୋନା କାଳରେ ଭାରତୀୟ ଫାର୍ମା କଂପାନୀ ଉଲ୍ଲେଖନୀୟ ଭାବେ ସଫଳ ହୋଇଛନ୍ତି।
୧୮୦ ଦେଶକୁ ଭାରତୀୟ ଫାର୍ମା କଂପାନୀମାନେ ଔଷଧ ଯୋଗାଉଛନ୍ତି। ଏ ସଂକଟ କାଳରେ ଆମର ମୂଳ ଲକ୍ଷ୍ୟ ଥିଲା କେହି ଭୋକିଲା ନରହୁ। ତେଣୁ ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଯାବତ ୨ କୋଟି ଘର ଦିଆଗଲାଣି। ପ୍ରାୟ ୬ କୋଟି ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ସ୍ୱାମିତ୍ୱ ଯୋଜନାରେ ୨୭ ହଜାର ଗାଁରେ ୪୦ ଲକ୍ଷ ସଂପତ୍ତି କାର୍ଡ ଦିଆଗଲାଣି। ଚାଷୀଙ୍କ ଉତ୍ପାଦକୁ ଉଚିତ ବଜାର ପାଇଁ କିଷାନ୍ ରେଲ୍ ଆରମ୍ଭ ହୋଇଛି। ପିଏମ୍ କିଷାନ ଯୋଜନାରେ ୧ ଲକ୍ଷ ୮୦ ହଜାର କୋଟି ଦିଆଗଲାଣି। ନଦୀ ସଂଯୋଗୀକରଣ ପାଇଁ ସରକାର ବ୍ୟାପକ କାଯର୍ୟ କରୁଛନ୍ତି। ୨୦୨୧-୨୨ରେ ୨୮ ଲକ୍ଷ ଝଐଏକୁ ୬୫ ହଜାର କୋଟି ଦିଆଯାଇଛି। ମହିଳା ସଶକ୍ତୀକରଣ ପାଇଁ ଝିଅଙ୍କ ବିବାହ ବୟସ ୨୧ କରାଯାଉଛି। ଏଥିପାଇଁ ସଂସଦରେ ବିଧେୟକ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ସମସ୍ତ ୩୩ ସୈନିକ ସ୍କୁଲରେ ବାଳିକାଙ୍କୁ ପ୍ରବେଶ ଆରମ୍ଭ କରାଯାଇଛି। ଆତ୍ମନିର୍ଭର ଭାରତକୁ ଅଧିକ କ୍ରୀୟାଶୀଳ କରିବାକୁ ଶିକ୍ଷାନୀତି ଅଣାଯାଇଛି। ଇଂଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ପଢ଼ା ଆରମ୍ଭ ହୋଇଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରାଯିବା ନେଇ କାର୍ୟ୍ୟକ୍ରମ ରହିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରେ ଅର୍ଥାତ ଆସନ୍ତାକାଲି ଫେବ୍ରୁଆରୀ ୧ତାରିଖରେ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନା କରାଯିବ । ବଜେଟ ଉପସ୍ଥାପନା ପରେ ବୁଧବାରଠାରୁ ଚାଲିବ ଗୃହକାର୍ୟ୍ୟ । ଏହି ଅଧିବେଶନ ବେଶ ସରଗରମ ହୋଇପାରେ । କାରଣ ଭାରତର ରାଜନୀତିକୁ ପୁଣି ଫେରିଛି ପେଗାସସ୍ ପ୍ରସଙ୍ଗ । ବିରୋଧୀ ପେଗାସସକୁ ପ୍ରସଙ୍ଗକରି ସରକାରଙ୍କୁ ଘେରିବେ । ଖାଲି ପେଗାସସ ପ୍ରସଙ୍ଗ ନୁହେଁ ମହଙ୍ଗା ମାଡ଼, ବେରୋଜଗାର, କରୋନା ପ୍ରଭାବିତ ପରିବାରଙ୍କୁ ସହାୟତା ଓ ଚୀନର ଅନୁପ୍ରବେଶ ନେଇ ବିରୋଧୀ ସରକାରଙ୍କୁ ଗୃହରେ ଘେରିପାରନ୍ତି ।




admin 