ବିଧାୟକ ହେବ ତ ଏମିତି ... ନବୀନ ଦେଲେ ସାବାସି
ବିଧାୟକ ହେବ ତ ଏମିତି ... ନବୀନ ଦେଲେ ସାବାସି
ଭୁବନେଶ୍ୱର: ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କ କାମରେ ଖୁସି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାବାସି ବି ଦେଇଛନ୍ତି । ବନ୍ୟା ପାଣିଘେରରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ନିଜେ ଯାଇ ଉଦ୍ଧାର କରିବା ସହ ପ୍ରଥମେ ବୋଟ ଓ ପରେ ନିଜ ଗାଡ଼ିରେ ହସ୍ପିଟାଲ ନେବା ପାଇଁ ଏବେ ବିଧାୟକ ସ୍ୱରୂପ ଚର୍ଚ୍ଚାକୁ ଆସିଛନ୍ତି । ଏହି ଘଟଣା ଜାତୀୟ ଗଣମାଧ୍ୟମରେ ବି ଆସିଛି ।
ଘଟଣାଟି ଏମିତି । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ମୁଣ୍ଡାଧାର ବୋଲି ଗାଁରେ ଜଣେ ମହିଳା ଗର୍ଭବତୀ ଥିଲେ । ମହିଳାଙ୍କୁ ତାଙ୍କ ପରିବାର ଲୋକେ ହସ୍ପିଟାଲ ନେବାକୁ ଚାହୁଁଥିଲେ ବି ପାଣି ଚାରିଆଡେ଼ ଘେରି ରହିଥିବାରୁ ନେଇ ପାରୁନଥିଲେ । ମାତ୍ର ପ୍ରସବ ସମୟ ପାଖେଇ ଆସିବା ସହ ଯେତେବେଳେ ଗର୍ଭ ଯନ୍ତ୍ରଣା ବଢ଼ିଲା, ପରିବାର ଲୋକ ଅସହାୟ ହୋଇପଡ଼ିଲେ । ପରିବାର ଲୋକେ ସ୍ଥାନୀୟ ସରପଞ୍ଚଙ୍କ ସହାୟତା ମାଗିଲେ । ସରପଞ୍ଚ ଏ ସମ୍ପର୍କରେ ବିଧାୟକ ସ୍ୱରୂପଙ୍କୁ ଫୋନ କରି ଜଣାଇଲେ । ଫୋନରେ ଏ ଖବର ପାଇବାବେଳେ ବିଧାୟକ ବୋଟରେ ଅନ୍ୟ ଏକ ପାଣି ଘେର ଗାଁକୁ ଯାଉଥିଲେ । ତୁରନ୍ତ ସେଇ ବୋଟକୁ ନେଇ ବିଧାୟକ ପହଞ୍ଚିଥିଲେ ମହିଳାଙ୍କ ଗାଁରେ । ପରିବାର ଲୋକଙ୍କ ସହ ବିଧାୟକ ବି ମହିଳାଙ୍କୁ କିଛି ବାଟ ବୋହିଥିଲେ । ପରେ ସ୍ପିଡ ବୋଟରେ ମେଡିକାଲ ଅଭିମୁଖେ ଯାଇଥିଲେ । ପାଣି ପାର ହେବା ପରେ ନିଜ ଗାଡ଼ିରେ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ମହିଳାଙ୍କର ପୁଅଟିଏ ଜନ୍ମ ହୋଇଛି । ଏହି ସହାୟତା ପାଇଁ ମହିଳାଙ୍କ ପରିବାରୁ ସମେତ ପୂରା ଗାଁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହିଳା ବାପା କହିଛନ୍ତି, ବିଧାୟକ ଭଗବାନ ଭଳି ଆମକୁ ସହାୟତା ଦେବାକୁ ପହଞ୍ଚିଥିଲେ । ଏ ଖବର ଜାତୀୟ ଗଣମାଧ୍ୟମରେ ବି ବେଶ୍ ପ୍ରଚାରିତ ହୋଇଛି । ଏଭଳି ମହାନ କାର୍ଯ୍ୟ ପାଇଁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଜନସେବା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି ସେ କହିଛନ୍ତି ।




admin 