ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ରହିବେ ନା ହଟିବେ

ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ରହିବେ ନା ହଟିବେ

ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ରହିବେ ନା ହଟିବେ


ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ରାଜନୀତି ପୂରା ଗୋଳମାଳିଆ । ଘଣ୍ଟାକେ ଘୋଡ଼ା ଛୁଟୁଛି । ପିସିସି ସଭାପତି ନବଜିତ ସିଂ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଯୁଦ୍ଧ ରୂପ ନେଇସାରିଛି । କଥା ଆସି ମୁଖ୍ୟମନ୍ତ୍ରୀ ବଦଳିବା ଉପରେ ପହଞ୍ଚିଲାଣି । ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି । ସମ୍ଭବତଃ ଏଥିରେ ମୁଖ୍ୟମନ୍ତ୍ରୀ ବଦଳାଇବା ଉପରେ କିଛି ନିଷ୍ପତ୍ତି ହୋଇପାରେ । ଏପରିକି ଅମରିନ୍ଦରଙ୍କ ବଦଳରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇପାରେ । କିମ୍ବା ଅନ୍ୟ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ । ଏପରିକି ଜଣେ ହିନ୍ଦୁ ନେତାଙ୍କୁ  କିଛି ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ଦିଆଯିବା ଚର୍ଚ୍ଚା ହେଉଛି । କଂଗ୍ରେସ ହାଇକମାଣ୍ଡଙ୍କ ନିଦେ୍ର୍ଧଶରେ ଅଚାନକ ଏଭଳି ବିଧାୟକ ଦଳ ବୈଠକ ଡକାଯାଇଛି ।

  ଆଜି ସନ୍ଧ୍ୟା ୫ଟାରେ ବିଧାୟକ ଦଳ ବୈଠକ ଡକାଯାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର । ସିଧାସଳଖ ହାଇକମାଣ୍ଡ ପାଖକୁ ଅମରିନ୍ଦର ବାର୍ତ୍ତା ପଠାଇଛନ୍ତି, ବିନା କୌଣସି ଆଲୋଚନାରେ ଅଚାନକ ଏଭଳି ବୈଠକ ଡକାଯିବା ଦୁର୍ଭାଗ୍ୟଜନକ । ଏହା ମୋ’ ପ୍ରତି ଅପମାନ । ଏଭଳି ଅପମାନ ସହି ହେବନି । ଅଣଦେଖା କରାଗଲେ, ସେ ଦଳରେ ରହିପାରିବେନି ବୋଲି ଅମରିନ୍ଦର ଫୋନ ଯୋଗେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜଣାଇ ଦେଇଛନ୍ତି । ଏପରିକି ସେ ଦଳ ଛାଡ଼ିଦେବେ ବୋଲି ମଧ୍ୟ କହିଛନ୍ତି ।

  ଅପରପକ୍ଷରେ କଂଗ୍ରେସ ହାଇକମାଣ୍ଡ ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ  ବଦଳାଇବାକୁ ଏକ ପ୍ରକାର ମନସ୍ଥ କରିନେଇଥିବା ଶୁଣାଯାଉଛି । ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଥିବାବେଳେ ଅପରାହ୍ନ ୨ଟାବେଳେ ଅମରିନ୍ଦର ନିଜ ସମର୍ଥକ ବିଧାୟକମାନଙ୍କୁ ନିଜ ସରକାରୀ ବାସଭବନରେ ବୈଠକ ଡକାଇଛନ୍ତି । ଏହି ବୈଠକ ପରେ ଅମରିନ୍ଦର କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି । 

  ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସରେ କନ୍ଦଳ ବଢ଼ିଥିବାବେଳେ ନିକଟରେ କିଛି ମନ୍ତ୍ରୀ ଓ ୪୦ଜଣ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ତୁରନ୍ତ ବିଧାୟକ ଦଳ ବୈଠକ ଡକାଇବାକୁ ପ୍ରଭାରୀଙ୍କୁ ଭେଟି ଦାବି ଜଣାଇଥିଲେ । ଅନ୍ୟପକ୍ଷରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଗୋଟିଏ ଗୋଷ୍ଠୀ ଦାବି ଉଠାଇଛନ୍ତି ।  ସନ୍ଧ୍ୟା ସୁଦ୍ଧା ପଞ୍ଜାବ କଂଗ୍ରେସରେ ବଡ଼ ପରିବର୍ତ୍ତନ ହେବା ସମ୍ଭାବନା ଅଛି ।