ବାଲ୍ୟ ବିବାହ ତଥା ନାରୀ ସୁରକ୍ଷା ଦିଗରେ ଯଶୋଦା ପାଣ୍ଡେଙ୍କ ପ୍ରଶଂସନୀୟ କାର୍ୟ୍ୟ
ବାଲ୍ୟ ବିବାହ ତଥା ନାରୀ ସୁରକ୍ଷା ଦିଗରେ ଯଶୋଦା ପାଣ୍ଡେଙ୍କ ପ୍ରଶଂସନୀୟ କାର୍ୟ୍ୟ
admin
Dec 7, 2020 - 09:15
Updated: Dec 7, 2020 - 09:15
ସମ୍ପ୍ରତି ସମାଜରେ ଆଜି ବି ନାରୀ ବି ଅବହେଳିତ । ନାରୀ ଓ କିଶୋରୀ ଝିଅମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜ୍ଞାନ ଯୁଗରେ ଆଜି ବି ବହୁଯାଗାରେ ନାରୀ ଆଜି ଅସୁରକ୍ଷିତ । ନାରୀ ବଢିଲେ ଦେଶ ବଢେ । କିନ୍ତୁ ଆଜି ବି ସମାଜରେ ବାଲ୍ୟବିବାହ ପରି କୁସଂସ୍କାର ଭରି ରହିଛି । ବାଲ୍ୟ ବିବାହ ସହିତ ଯୁବତୀ, କିଶୋରୀ ଓ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଓ ଅତ୍ୟାଚାର ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନୂଆପଡା ଜିଲ୍ଲାର ଡୁମେରୀପାଣି ଗ୍ରାମ ପଞ୍ଚାୟତର ହଳଦୀ ଗାଁର ଯଶୋଦା ପାଣ୍ଡେ । ବାଲ୍ୟ ବିବାହ ବିରୋଧରେ ଯଶୋଦାଙ୍କର ଲଢେଇ ପାଇଁ ସଂଯୁକ୍ତ ରାଷ୍ଟ୍ର ତରଫରୁ ୨୦୨୦ ମସିହା ପାଇଁ ତାଙ୍କୁ ସମ୍ମାନଜନକ ଭି ପୁରସ୍କାର ପ୍ରଦାନ କରାଯାଇଛି । ନାରୀ ସମ୍ମାନ ଓ ସୁରକ୍ଷା ପାଇଁ ଯଶୋଦା ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦିତ କରି ନିଜ ରାଷ୍ଟ୍ର ପାଇଁ ଗୌରବ ଆଣିଛନ୍ତି ।
ନାରୀ ତଥା କନ୍ୟା ସନ୍ତାନଙ୍କ ସରକାର ବହୁ ଯୋଜନା କରିଥିଲେ ସୁଦ୍ଧା ଆଜି ନାରୀ ଅସୁରକ୍ଷିତ । ସରକାର ଏ ଦିଗରେ ରୋକିବାରେ ବିଫଳ ହୋଇଛନ୍ତି। କିଶୋରୀ ଝିଅମାନେ ଏକୁଟିଆ ଘରୁ ବାହାରକୁ ଯିବାପାଇଁ ନିଜକୁ ନିଜେ ଅସୁରକ୍ଷିତ ମଣୁଛନ୍ତି। କେତେବେଳେ ଯେ କଣ ଘଟିଯିବ ସେ ସମ୍ଭାବନାର ଭୟ ଥାଏ। ଏ କ୍ଷେତ୍ରରେ ଜଣେ କିଶୋରୀ ନିଜକୁ ସୁରକ୍ଷିତ କରିବା ସାଙ୍ଗକୁ ଅନ୍ୟ ମାନଙ୍କୁ ସୁରକ୍ଷାର ବାଟ ଦେଖାଇ ଆସୁଥିବା ତଥା କିଶୋରୀ ମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କୀୟ ଶିକ୍ଷା ଦୀକ୍ଷା ଦେଇ ନିଜକୁ ନିଜେ ସ୍ୱାବଲମ୍ବନ କରିବା ବର୍ତ୍ତମାନ ସଂପ୍ରତି ସମାଜରେ ତାହା ବିରଳ ଉଦାହରଣ ସାଜିଛନ୍ତି ଯଶୋଦା । ସେ ତାଙ୍କ ଗାଁରେ ବାଲ୍ୟ ବିବାହ ରୋକିବାରେ ଅଣ୍ଟା ଭିଡ଼ିଛନ୍ତି ଓ କିଶୋରୀ ଝିଅମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଜୀବନ ସମ୍ବନ୍ଧୀୟ ଓ ଆର୍ଥିକ ବିକାଶ ଦିଗରେ ପ୍ରତି ରବିବାର ତାଲିମ ଦେଇଆସୁଛନ୍ତି।
‘ସେଭ ଦି ଚିଲ୍ଡ୍ରେନ୍’ ଏନ୍ଜିଓ ସହ ଜଡିତ ହୋଇ ବାଲ୍ୟ ବିବାହ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି । ବାଲ୍ୟବିବାହ ଛଡ଼ା କିଶୋରୀ ମାନଙ୍କୁ ପାଠ ପଢ଼ିବା ପାଇଁ ମଧ୍ୟ ପ୍ରେରଣା ଯୋଗାଉଛନ୍ତି । ବର୍ତ୍ତମାନ ପାଣ୍ଡେ ଡ଼ୁମେରପାଣି ପଞ୍ଚାୟତର ଝାନସୀକି ରାଣୀ ଝିଅ ଫେଡ଼େରେସନର ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି। ସେହି ହଳଦୀ ଗାଁରେ ଆଠ ଜଣ ଝିଅ ଟ୍ରେନିଂ ନେଇ କାମ କରୁଛନ୍ତି। ମାତ୍ର ୨୧ ବର୍ଷ ବୟସରେ ସେ ୮୦ଟି ବାଲ୍ୟବିବାହ ରୋକିବାରେ ସଫଳ ହୋଇଛନ୍ତି । ଆଶା ଓଡ଼ିଶାତରଫରୁ ପରିଚାଳିତ ‘ବିବାହ : ପିଲା ଖେଳ ନୁହେଁ’ରେ ଅଂଶଗ୍ରହଣ କରି ବାଲ୍ୟ ବିବାହ ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି ।
ଯଶୋଦା ଚଳିତ ବର୍ଷ ସ୍ନାତକ ପାସ୍ କରିଛନ୍ତି । ସେ ତାଙ୍କର ଏହି ଅଭିଯାନକୁ ଆଗକୁ ବଢାଇବେ । ଏହି ଅଭିଯାନରେ ତାଙ୍କ ସହ ଆହୁରି ଝିଅମାନେ ଯୋଗଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ନୂଆପଡାରେ ଶିଶୁ ଆଇନ୍ ଲାଗୁ କରିବା ସହିତ ଚଜିଲ୍ଲାର ସମସ୍ତ କିଶୋରୀ ବାଳିକାମାନଙ୍କୁ ସରକାରୀ ଯୋଜନା ମାଧ୍ୟମରେ ମାଗଣା ସାନିଟାରୀ ନାପକିନ୍ ଯୋଗାଇଦେବାକୁ ସେ ଅଣ୍ଟା ଭିଡିଛନ୍ତି । ବାଲ୍ୟ ବିବାହ ତଥା ନାରୀ ସୁରକ୍ଷା ଦିଗରେ ଯଶୋଦାଙ୍କ କାର୍ୟ୍ୟ ପ୍ରଶଂସନୀୟ । ତାଙ୍କର ଏପରି ଉଦ୍ୟମକୁ ସାଧୁବାଦ୍ ।