ବାରାଣସୀରୁ ଲଢ଼ିବେନି ପ୍ରିୟଙ୍କା
ବାରାଣସୀରୁ ଲଢ଼ିବେନି ପ୍ରିୟଙ୍କା
admin
Apr 26, 2019 - 06:56
Updated: Apr 26, 2019 - 06:56
ନୂଆଦିଲ୍ଲୀ: ଉତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଏବେ ଏହାର ଅନ୍ତ ଘଟିଛି । କଂଗ୍ରେସ ଏଠାରେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି ।
୮୦ ଲୋକ ସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଆସନ ହେଉଛି ବାରାଣସୀ। କାରଣ ଏହି ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅଜୟ ୨୦୧୪ ନିର୍ବାଚନରେ ମଧ୍ୟ ସେ ମୋଦୀଙ୍କ ପ୍ରତିଦ୍ୱନ୍ଦୀ ଥିଲେ । ମୋଦୀ ୫.୮ ଲକ୍ଷ ଭୋଟ ସହିତ ବିଜୟ ଲାଭ କରିଥିବା ବେଳେ ଅରବିନ୍ଦ କେଜ୍ରିୱାଲ ୨ଲକ୍ଷରୁ ଅଧିକ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଅଜୟଙ୍କୁ ମାତ୍ର ୭୫,୦୦୦ ଭୋଟ ମିଳିଥିଲା । ଚଳିତ ନିର୍ବାଚନରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ଏଠାରେ କଂଗ୍ରେସ ପ୍ରାର୍ଥୀ କରି ମୋଦିଙ୍କ ବିରୋଧରେ ‘ବ୍ରହ୍ମାସ୍ତ୍ର’ ପ୍ରୟୋଗ କରିବ ବୋଲି କୁହାଯାଉଥିଲା। କାରଣ ପ୍ରିୟଙ୍କାଙ୍କୁ ଯେଉଁ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି, ତା’ ମଧ୍ୟରେ ବାରାଣସୀ ଆସୁଛି। ସେ ଏଠାରେ ଛିଡ଼ା ହେଲେ ଅନ୍ୟ ଆସନଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ମନେକରାଯାଉଥିଲା। ହେଲେ ଶେଷରେ ଦଳ ଅଜୟଙ୍କୁ ପୁଣିଥରେ ଟିକେଟ ଦେଇ ମଇଦାନକୁ ଓହ୍ଲାଇଛି। ଅଜୟ ଏହା ପୂର୍ବରୁ ୫ ଥର ବିଧାୟକ ହୋଇସାରିଛନ୍ତି। ଫଳରେ ପ୍ରିୟଙ୍କାଙ୍କ ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।