ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଉଠିଲା ନିର୍ବାଚନୀ କଟକଣା
ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଉଠିଲା ନିର୍ବାଚନୀ କଟକଣା
admin
May 1, 2019 - 02:50
Updated: May 1, 2019 - 02:50
ଭୁବନେଶ୍ୱର : ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫନି । ‘ଫନି’ର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ କୋଡ଼ ଅଫ କଣ୍ଡକ୍ଟ ଲାଗିଥିବାରୁ ଏଠାରେ ପ୍ରସ୍ତୁତି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକରୁ ଆଦର୍ଶ ଆଚରଣ ବିଧି ହଟାଇ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାତ୍ୟାର ଗମ୍ଭୀରତାକୁ ଅନୁଶୀଳନ କରିବା ପରେ କୋଡ଼ ଅଫ କଣ୍ଡକ୍ଟ ବା ଆଦର୍ଶ ଆଚରଣ ବିଧି ହଟାଇ ନେବାକୁ ନିର୍ବାଚନ କମିଶନ ନିଦେ୍ର୍ଧଶ ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ମଙ୍ଗଳବାର ରାତିରେ ଫନି ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଉତର ପଶ୍ଚିମ ଦିଗରେ ଆଗକୁ ବଢ଼ିବ । ମେ’ ୧ ତଥା ବୁଧବାର ମଧ୍ୟାହ୍ନ ପରେ ବାତ୍ୟା ମୋଡ଼ ନେଇ ପୁଣି ଉତର-ଉତରପୂର୍ବ ଦିଗରେ ବଢ଼ି ଓଡ଼ିଶା ଆଡ଼କୁ ମାଡ଼ି ଆସିବ । ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ୩ ତାରିଖ ଅପରାହ୍ନ ବେଳକୁ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ପାଶ୍ୱର୍କୁ ଛୁଇଁବ । ଉପକୂଳରେ ପହଁଚିଲା ବେଳକୁ ପବନର ବେଗ ଘଂଟା ପ୍ରତି ୧୭୫ରୁ ୧୮୫ କିମି ରହିବ । ବେଳେବେଳେ ପବନର ବେଗ ୨୦୫ ଛୁଇଁବ ବୋଲି ଆକଳନ କରାଯାଇଛି ।
ଅପରପକ୍ଷରେ ଆମେରିକାର ଜଏଂଟ ଟାଇଫୁନ ୱାର୍ଣ୍ଣିଂ ସେଂଟରର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ଅତି ଭୀଷଣ ରୂପ ନେଇ ଆଗକୁ ବଢ଼ୁଛି । ଏହା ଉପକୂଳରେ ନଯାଇ ଟିକିଏ ଦୂରରେ ସ୍ଥଳଭାଗରେ ଯିବ । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଉଦୟଗିରିରେ ସ୍ଥଳଭାଗ ଛୁଇଁବ, ଯେତେବେଳେ ପବନର ବେଗ ଘଂଟା ପ୍ରତି ୧୮୫ କିମି ଓ ସ୍ଥଳ ବିଶେଷରେ ୨୧୦ କିମି ରହିଥିବ । ଏହାପରେ ଭୁବନେଶ୍ୱର, ବାଙ୍କୀ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଦେଇ ପଶ୍ଚିମବଙ୍ଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି ।
ଓଡ଼ିଶାର ୧୭ଟି ଜିଲ୍ଲାରେ ରେଡ଼ ଆଲର୍ଟ କରାଯାଇଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ଅର୍ଥାତ ୧୨୦ରୁ ୨୦୦ ମିମି ବର୍ଷା ହେବାର ସମ୍ଭାବନା ରହିଛି ।