ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫିଙ୍ଗିଲେ କଳା ଗାମୁଛା ଓ ଫ୍ଲେକ୍ସ

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫିଙ୍ଗିଲେ କଳା ଗାମୁଛା ଓ ଫ୍ଲେକ୍ସ

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫିଙ୍ଗିଲେ କଳା ଗାମୁଛା ଓ ଫ୍ଲେକ୍ସ

ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ଘଟିଲା  । ମମିତା ମେହେରଙ୍କ ପ୍ରସଙ୍ଗରେ ବିରୋଧୀ ନଛୋଡ଼ବନ୍ଧା ନୀତି ଆପଣାଇବାରୁ ଗୃହ ଅଚଳ ହୋଇପଡ଼ିଛି  । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ  । ଦିନତମାମ ଏହି ପ୍ରସଙ୍ଗରେ ଗୃହରେ ତୁମୁଳ ହଟ୍ଟଗୋଳ ଲାଗି ରହିବାରୁ ଗୃହକାର୍ଯ୍ୟ ଠପ ହୋଇଯାଇଥିଲା  । ପୂର୍ବାହ୍ନରେ ମାତ୍ର କେଇ ସେକେଣ୍ଡ ଗୃହକାର୍ଯ୍ୟ ଚାଲିପାରିଥିବାବେଳେ ଅପରାହ୍ନରେ ମାତ୍ର ୧୩ ମିନିଟ ଗୃହ କାର୍ଯ୍ୟ ଚାଲିଥିଲା  । ବିଭିନ୍ନ ବିଭାଗର ମନ୍ତ୍ରୀମାନେ ହଟ୍ଟଗୋଳ ଭିତରେ କାଗଜ ଉପସ୍ଥାପନ କରିଥିଲେ  । ଏତିକିରେ ହିଁ ଆଜି ଗୃହ ଅଟକି ଯାଇଥିଲା  । ଅପରପକ୍ଷରେ ବିରୋଧୀ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ କଳା ଗାମୁଛା ଓ ଫ୍ଲେକ୍ସ ମଧ୍ୟ ଫିଙ୍ଗିଥିଲେ  ।

ଅପରାହ୍ନ ୪ଟାରେ ପୁନଶ୍ଚ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ବିଧାୟକମାନେ ପୂର୍ବଭଳି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ  । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଜେନା ସଚିବ ଓ ରିପୋର୍ଟରଙ୍କ ଚଉକି ଉପରେ ଠିଆହୋଇ ବାଚସ୍ପତିଙ୍କ ପୋଡ଼ିୟମ ବାଡେ଼ଇ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା  । ‘ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଆମର ଦାବି’, ‘ସିବିଆଇ ତଦନ୍ତ ଆମର ଦାବି’, ‘ଆମର ଦାବି ମାନିନିଅ’ ଆଦି ନାରାବାଜି କରିବା ସହ ଫ୍ଲେକ୍ସ ପ୍ରଦର୍ଶନ କରିଥିଲେ  । ଗୋଟିଏ ପଟେ ବିରୋଧୀ ଗୃହରେ ତୁମୁଳ ହଟ୍ଟଗୋଳ କରୁଥିବାବେଳେ ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାଗଜ ଉପସ୍ଥାପନ କରିଥିଲେ  । ଏହି ସମୟରେ ବିରୋଧୀ ଆହୁରି ଉଗ୍ର ହେବା ସହ ତୁମୁଳ ହଟ୍ଟଗୋଳ ଓ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା  । ଦିବ୍ୟଶଙ୍କରଙ୍କ ପରେ ଅନ୍ୟ ମନ୍ତ୍ରୀମାନେ କାଗଜ ଉପସ୍ଥାପନ କରିଥିଲେ  । ବିଭିନ୍ନ କମିଟିର ରିପୋର୍ଟ ବି ଉପସ୍ଥାପିତ ହୋଇଥିଲା  ।