ବଳିଆ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, ପରିବାରକୁ ଫେରିବ ଜଗା

ବଳିଆ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, ପରିବାରକୁ ଫେରିବ ଜଗା

ବଳିଆ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି, ପରିବାରକୁ ଫେରିବ ଜଗା
କଟକ : କଟକ ବଡ଼ ମେଡିକାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବଳିଆର ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ଆସିଛି । ନିମୋନିଆ ବା ସଂକ୍ରମଣ ଧୀରେଧୀରେ କମୁଛି । ତଥାପି ବିଭିନ୍ନ ସମୟରେ ହଠାତ୍ ଜ୍ୱର ଆସୁଛି । ତେଣୁ ତାର ଆଣ୍ଟିବାୟୋଟିକରେ କିଛିଟା ପରିବର୍ତ୍ତନ କରାଯାଇଛି । ବିଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ତାକୁ ଭେଣ୍ଟିଲେଟରରେ ରଖାଯାଉଛି । ଅନେକ ସମୟରେ ବି ସେ ସ୍ୱାଭାବିକ ଭାବେ ନିଃଶ୍ୱାସ, ପ୍ରଶ୍ୱାସ ନେଇପାରୁଛି ବୋଲି ଏସ୍ସିବି ନୁ୍ୟରୋସର୍ଜରି ବିଭାଗର ମୁଖ୍ୟ ତଥା ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ଟିମର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଜଗା କିନ୍ତୁ ଫିଟ୍ ଅଛି । ତେଣୁ ସେ ତା' ବାପା, ମା'ଙ୍କ ସହ ଘରକୁ ଯାଇପାରିବ ଓ ଏଥିପାଇଁ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ପ୍ରଫେସର ମିଶ୍ର କହିଛନ୍ତି । ପ୍ରଫେସର ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, ଏମ୍ସରେ ବଳିଆର ଶ୍ୱାସନଳୀରେ ଛିଦ୍ର କରାଯାଇଥିଲା । ଏଠାରେ ମଧ୍ୟ ସେହି ସମାନ ସ୍ଥାନରେ ଛିଦ୍ର କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଉପାଧ୍ୟାୟ, ଡାକ୍ତର ଜ୍ଞାନରଂଜନ ବେହେରା, ଡାକ୍ତର ସରୋଜ ଶତପଥୀ ପ୍ରମୁଖଙ୍କ ନେତୃତ୍ୱରେ ତା'ର ଚିକିତ୍ସା ଚାଲିଛି । କିଛିଦନ ଭିତରେ ତା'ର ଜ୍ୱର କମିଯିବ ବୋଲି ଆଶା କରାଯାଉଛି । ଏମ୍ସ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମୟରେ ଭିଡିଓ କନଫରେନ୍ସିଂରେ ଚିକତ୍ସା ସଂପର୍କରେ ଆଲୋଚନା କରାଯାଉଛି । ଏପରିକି ହ୍ୱାଟସ୍ ଅପ୍ ଗ୍ରୁପରେ ମଧ୍ୟ ବଳିଆର ଚିକିତ୍ସା ସଂପର୍କରେ ଆଲୋଚନା ଜାରି ରହିଛି । ଯେହେତୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ସମୟରେ ଟିମରେ ଓଡିଆ ଡାକ୍ତର ଆଶୋକ ମହାପାତ୍ର ଥିଲେ, ତେଣୁ ତାଙ୍କ ସହିତ ଯୋଗାଯୋଗ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆ ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ସେପ୍ଟେମ୍ବର ୮ ତାରିଖରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି । ଗତମାସ ୨୬ ତାରିଖ ରାତିରୁ ହଠାତ ବଳିଆର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା । ନିମୋନିଆ ସହ ଛାତିରେ ସଂକ୍ରମଣ, ଶ୍ୱାସକି୍ରୟାରେ ଅସୁବିଧା ଆଦି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ବିଶେଷଜ୍ଞ କମିଟି ନିଷ୍ପତ୍ତି ଅନୁସାରେ ତାକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା ।