ବନ୍ଦ ହେବ ୫ ହଜାର ପ୍ରଧାନଶିକ୍ଷକଙ୍କ ଇନକ୍ରିମେଂଟ !
ବନ୍ଦ ହେବ ୫ ହଜାର ପ୍ରଧାନଶିକ୍ଷକଙ୍କ ଇନକ୍ରିମେଂଟ !
admin
Jun 8, 2019 - 05:40
Updated: Jun 8, 2019 - 05:40
ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଗଣଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଯେଉଁ ବିଦ୍ୟାଳୟଗୁଡ଼ିକରେ ଖରାପ ପରୀକ୍ଷା ଫଳ ପ୍ରଦର୍ଶନ ହୋଇଛି ସେଠାରେ ପ୍ରଧାନଶିକ୍ଷକ, ଭାରପ୍ରାପ୍ତ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହିତ କାହିଁକି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହରଣ କରାନଯିବ ସେ ନେଇ ଗଣଶିକ୍ଷା ବିଭାଗ ନୋଟିସ ଜାରି କରିଛି । ସେହିପରି ଯେଉଁ ବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ଫଳ ୧୦୦ ପ୍ରତିଶତ ହୋଇଛି ସେଠାକାର ପ୍ରଧାନଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଦେଇ ସେମାନଙ୍କୁ ଉତ୍ସାହିତ କରିବାକୁ ବିଭାଗ ଲକ୍ଷ୍ୟ କରିଛି । ଏହାବ୍ୟତୀତ ଚଳିତ ବର୍ଷ ୫୦ ପ୍ରତିଶତରୁ କମ୍ ପିଲା ପାସ୍ କରିଥିବା ବିଦ୍ୟାଳୟ ଏବଂ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟର ପ୍ରାୟ ୫ ହଜାର ବିଦ୍ୟାଳୟର ପ୍ରଧାନଶିକ୍ଷକ, ଭାରପ୍ରାପ୍ତ ଶିକ୍ଷକ, ସହକାରୀ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହା ସହିତ ରାଜ୍ୟର ଶତାଧିକ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ ଅନୁଦାନ ବନ୍ଦ କରିବା ଲାଗି ବିଭାଗ ନୋଟିସ୍ ଜାରି କରିଥିବା ଜଣାଯାଇଛି ।
ଏ ସମ୍ପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ସରକାରୀ ବିଦ୍ୟାଳୟକୁ ଶୃଙ୍ଖଳିତ କରିବା ଲକ୍ଷ୍ୟ ନେଇ ବିଭାଗ ପକ୍ଷରୁ ବିଗତ ଦିନରେ ବ୍ୟାପକ ସଂସ୍କାର ମୂଳକ ପଦକ୍ଷେକ ଗ୍ରହଣ କରାଯାଇଛି । ଏହା ସତ୍ତେ୍ୱ କେତେକ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫଳ ନୈରାଶ୍ୟ ଜନକ ହୋଇଛି । ଏହାକୁ ବିଭାଗ ଗୁରୁତର ସହ ଗ୍ରହଣ କରିଛି । ଆଗାମୀ ଦିନରେ ଯେଭଳି ଏପରି ପରିସ୍ଥିତି ନ ଉପୁଜେ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚିୀ ସୃଷ୍ଟି ନ ହୁଏ ସେଥିପ୍ରତି ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରିଛି । ଅନ୍ୟ ପକ୍ଷରେ ୨୮୯ ଟି ବିଦ୍ୟାଳୟରେ ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଭାରପ୍ରାପ୍ତ ଶିକ୍ଷକଙ୍କୁ ପ୍ରଶଂସା ପତ୍ର ଦେଇ ପ୍ରୋତ୍ସାହନ କରାଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟରେ ୫୭ଟି ଉନ୍ନୀତ ବିଦ୍ୟାଳୟରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ୧୨ଟି ସରକାରୀ ହାଇସ୍କୁଲରେ ଜଣେ ହେଲ ବି ପିଲା ପାସ୍ କରି ନାହାନ୍ତି । ସେହିପରି ୨ଟି ଅନୁଦାନ ପ୍ରାପ୍ତ, ୫ଟି ବ୍ଲକଗ୍ରାଣ୍ଟ ଓ ୬ଟି ଅଣଅନୁଦାନ ପ୍ରାପ୍ତ ହାଇସ୍କୁଲରେ ଜଣେ ହେଲେ ବି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି । ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗ ପଦକ୍ଷେପ ଉଠାଇଥିବା ବେଳେ ୫୦ ପ୍ରତିଶତରୁ କମ ପାସ ହାର ଏବଂ ଶୂନ ପାସ୍ ହାର ରହିଥିବା ବିଦ୍ୟାଳୟ ଗୁଡ଼ିକ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବାକୁ ରହିଛି । ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଅନୁଦାନ ବନ୍ଦ କରାଯିବା ସହିତ ଖରାପ ପ୍ରଦର୍ଶନ ପାଇଁ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ କୈଫୟିତ ତଲବ କରାଯାଇଛି । ଏହାବାଦ୍ ପ୍ରଧାନଶିକ୍ଷକଙ୍କ ଇନକ୍ରିମେଣ୍ଟ ବନ୍ଦ କରିବା ଦିଗରେ ବିଭାଗ ପଦକ୍ଷେପ ଗ୍ରହଣ କରିଛି ।
ବିଶେଷ କରି ଚଳିତ ବର୍ଷ ରାଜ୍ୟର ୮୨ଟି ବିଦ୍ୟାଳୟରେ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ସେଥିମଧ୍ୟରୁ ୪୯ଟି ବିଦ୍ୟାଳୟରେ ୧୦ ରୁ କମ୍ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ମନୋନୀତ ହୋଇଥିଲେ । ସେହିସବୁ ବିଦ୍ୟାଳୟ ଗୁଡ଼ିକ ସରକାର କାହିଁକି ଅଯଥା ଖର୍ଚ୍ଚ କରି ଚଲାଇବେ ବୋଲି ବିଭାଗ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପତ୍ର ଲେଖାଯାଇଛି ।