ବଢ଼ିପାରେ ଔଷଧର ମୂଲ୍ୟ

ବଢ଼ିପାରେ ଔଷଧର ମୂଲ୍ୟ

ବଢ଼ିପାରେ ଔଷଧର ମୂଲ୍ୟ
ନୂଆଦିଲ୍ଲୀ: ଆଗକୁ ମହଙ୍ଗା ହେବ ଔଷଧ ସାମଗ୍ରୀ । କାରଣ ଚାଇନା ଆପକୁ ଭାରତ ନିଷିଦ୍ଧ କରିବା ପରେ ଔଷଧ ତିଆରି ପାଇଁ ବ୍ୟବହୃତ ହେଉଥିବା ପ୍ରମୁଖ କଞ୍ଚାମାଲ ଦର ବୃଦ୍ଧି କରିଛି ଚୀନ । ଭାରତ ସହ ସୀମା ବିବାଦ ପରେ ଚାଇନା ଏବେ ଔଷଧ କ୍ଷେତ୍ରକୁ ଆୟୁଧ କରି ଭାରତ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଛି । ସମ୍ପ୍ରତି ଦେଶର ଔଷଧ ଶିଳ୍ପ କରୋନା ମହାମାରୀ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଔଷଧ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ ଦର ବଢ଼ିବା ଆଗକୁ ଶିଳ୍ପ ଆଗରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିପାରେ । ଏହାର ପ୍ରଭାବ ସ୍ୱରୂପ ଭାରତୀୟ ବଜାରରେ ଔଷଧର ମୂଲ୍ୟ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଶିଳ୍ପ ସହ ଜଡ଼ିତ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ ଓ ଚୀନ ଭିତରେ ଚାଲିଥିବା ବିବାଦ ପାଇଁ ଭାରତୀୟ ବଜାରରେ ଔଷଧ ମହଙ୍ଗା ହେବାକୁ ଯାଉଛି । ତେବେ ଭାରତ ସରକାର ଯେତେ କଟକଣା ଚୀନ ପାଇଁ ଲଗାଇଲେ ବି ଚୀନ ଉପରେ ନିର୍ଭର ନ କରି ଏତେ ଶୀଘ୍ର ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ ନାହିଁ । ଭାରତର ବହୁଗୁଡ଼ିଏ କମ୍ପାନୀ ଔଷଧ ତିଆରି କରୁଥିଲେ ବି ଔଷଧ ପ୍ରସ୍ତୁତରେ ଆବଶ୍ୟକ ପଡୁଥିବା କଞ୍ଚାମାଲର ଏକ ବଡ଼ ଭାଗ ଚୀନରୁ ଆମଦାନୀ କରାଯାଇଥାଏ । ଏଭଳି ସ୍ଥଳେ ଭାରତୀୟ ବଜାରକୁ ଦୃଷ୍ଟିରେ ରଖି ଚୀନ ଏହି କଞ୍ଚାମାଲ ଦର ୧୦ ରୁ ୨୦ ପ୍ରତିଶତ ବୃଦ୍ଧି କରିଛି । ଯାହାର ସିଧା ସଳଖ ପ୍ରଭାବ ଭାରତୀୟ ଔଷଧ ବଜାର ଉପରେ ପଡ଼ିବାକୁ ଯାଉଛି ।