‘ବିଜେପି’କୁ ଆସନଚ୍ୟୁତ କରିବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ : ନୀତୀଶ
ନୂଆଦିଲ୍ଲୀ: ବିରୋଧୀମାନଙ୍କୁ ଏକଜୁଟ କରି ‘ବିଜେପି’କୁ ଆସନଚ୍ୟୁତ କରିବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ। ଏହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବି। ସମଗ୍ର ଦେଶରୁ ‘ବିଜେପି’ ମୂଳପୋଛ ହେବା ଆବଶ୍ୟକ।
ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରି ‘ବିଜେପି’ ଦେଶକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି । ସେମାନେ ଇତିହାସ ପୁନଃରଚନା କରିବାକୁ ବ୍ୟଗ୍ର ହେଉଛନ୍ତି। ସ୍ବାଧୀନତା ସଂଗ୍ରାମ ବେଳେ ସେମାନେ ଯାହା କରିଥିଲେ ଜନସାଧାରଣ ତାହା ଜାଣନ୍ତି। ଆମେ କେହି ତାହା ଭୁଲିଯିବା ଉଚିତ ନୁହେଁ। ପୁର୍ଣ୍ଣିଆରେ ‘ମହାଗଠବନ୍ଧନ’ ରାଲିରେ ଉଦ୍ବୋଧନ ଦେଇ ‘ଜେଡି(ୟୁ)’ର ମୁଖ୍ୟ ନୀତୀଶ କୁମାର ଏହା କହିଛନ୍ତି। କଂଗ୍ରେସ ସମତେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଲେ ‘ବିଜେପି’କୁ ୧୦୦ ଆସନ ମଧ୍ୟରେ ସୀମିତ ରଖାଯାଇ ପାରିବ ବୋଲି ଶନିବାର ଦିନ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଏ ସଂକ୍ରାନ୍ତରେ କଂଗ୍ରେସକୁ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ଥିବା ‘ବିଜେପି’ ନେତୃତ୍ବାଧୀନ ସରକାର ଦେଶ ପାଇଁ ବା ବିହାର ପାଇଁ ପ୍ରଚାର ବ୍ୟତୀତ ଅନ୍ୟ କିଛି କରିନାହିଁ।ବିହାର ପାଇଁ ସ୍ବତନ୍ତ୍ର ପାହ୍ୟାର କ’ଣ ହେଲା? ସମାଜର ଆର୍ଥିକ ଦୁର୍ବଳ ବର୍ଗଙ୍କୁ କେନ୍ଦ୍ର ବିରୋଧ କରୁଛି। ସେଥିପାଇଁ ସେମାନେ ଜାତିଭିତ୍ତିକ ଜନଗଣାକୁ ସମର୍ଥନ କରୁନାହାନ୍ତି। ୨୦୨୪ରେ ଲୋକସଭା ଏବଂ ୨୦୨୫ରେ ବିହାର ନିର୍ବାଚନ ହେଲେ ‘ବିଜେପି’ ବାସ୍ତବତା କ’ଣ ଜାଣିପାରିବ ବୋଲି କୁମାର କହିଛନ୍ତି।




admin 