ପୋଡିଲେ, ପୋତିଲେ, ଲୁଣ ବି ଦେଲେ

ପୋଡିଲେ, ପୋତିଲେ, ଲୁଣ ବି ଦେଲେ

ପୋଡିଲେ, ପୋତିଲେ, ଲୁଣ ବି ଦେଲେ

ବଲାଙ୍ଗୀର:ବଲିଉଡ ଫିଲ୍ମ ଦୃଶ୍ୟମ କିମ୍ବା କ୍ରାଇମ ପାଟ୍ରୋଲ ଏପିସୋଡଠୁ କମ ନୁହେଁ ବହୁ ଚର୍ଚିତ ମମିତା ନିଖୋଜ ଘଟଣା। ପ୍ରଥମେ ଅପହରଣ କୁହାଯାଇଥିବାବେଳେ ଏଵେ ଏହା ହତ୍ୟାକାଣ୍ଡ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି। ତେବେ ମମିତା ମେହେରକୁ ହତ୍ୟା କରିବା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେଥିପାଇଁ ମୃତଦେହ ପୋତିବାବେଳେ ବହୁ ମାତ୍ରାରେ ଲୁଣ ବ୍ୟବହାର କରାଯାଇଥିଲା। ଏମିତି ସୂଚନା ପାଇଛି ପୁଲିସ । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ହୋଇଥିଲା । ପ୍ରଥମେ ଗାତ ଖୋଳାଗଲା। କାରରେ ହତ୍ୟା କରାଗଲା ପରେ ମୃତଦେହକୁ ଗାତରେ ପକାଗଲା। ତଳେ ପ୍ଲାଏ ଏବଂ ମୃତଦେହ ଉପରେ ଟାୟାର ରଖି ଜଳାଗଲା। ମୃତ ଶରୀରକୁ ଶୀଘ୍ର ନଷ୍ଟ କରିବା ପାଇଁ ପ୍ରଚୁର ପରିମାଣରେ ଲୁଣ ଦିଆଯାଇଥିଲା। ତା'ପରଦିନ ଜେସିବି ଡ୍ରାଇଭରକୁ କହି ଗାତକୁ ପୋତି ଦିଆଗଲା ।

 ପୂରା ଘଟଣାଟି ହିନ୍ଦୀ ଥ୍ରୀଲର ଫିଲ୍ମ ଭଳି ଲାଗୁଛି। ଏହା ପ୍ରି-ପ୍ଲାନ୍ ମର୍ଡର ଜଣାପଡୁଛି। ଏହି ଅପରାଧର ମୁଖ୍ୟ ଖଳନାୟକ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିବା ପାଇଁ ପୂର୍ବରୁ ପ୍ରି-ପ୍ଲାନ୍ କରିଥିବା ପୁଲିସ ତଦନ୍ତରୁ ଜଣା ପଡ଼ିଥିବା କୁହାଯାଉଛି।

 ମମିତାଙ୍କୁ ଗୋବିନ୍ଦ ଫୋନ୍ କରି ଘରୁ ଡାକିଥିଲା । ଭବାନୀପାଟଣାରୁ ଫେରିବ ରାସ୍ତାରେ କାରରେ ମମିତାଙ୍କୁ ହତ୍ୟା କରିଥିଲା । ଆଉ ଏହା ପରେ ପୂର୍ବରୁ ରଚିଥିବା ଷଡଯନ୍ତ୍ର ଅନୁଯାୟୀ ଗୋଟିଏ ପରେ ଗୋଟିଏ ପ୍ରମାଣ ନଷ୍ଟ କରିବା ପାଇଁ ଯୋଜନା କରିଥିଲା । ପୁଲିସ ପଚାରାଉଚରା ସମୟରେ ଗୋବିନ୍ଦ ସବୁ ସତ ଉଗାଳିଛି ।