ପେଟ୍ରୋଲ, ଡିଜେଲ ୨୫ଟଙ୍କା ବଢ଼ିବ କି...

ପେଟ୍ରୋଲ, ଡିଜେଲ ୨୫ଟଙ୍କା ବଢ଼ିବ କି...

ପେଟ୍ରୋଲ, ଡିଜେଲ ୨୫ଟଙ୍କା ବଢ଼ିବ କି...

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରୁ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ଅଶେଧିତ ତୈଳ ଦର ହୁ ହୁ ହୋଇ ବଢିଚାଲିଛି । ଆନ୍ତର୍ଜାତିକ ବଜାରରେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ଦର ୧୧୦ ଡଲାରରେ ପହଞ୍ଚି ଗଲାଣି । ଏଭଳି ସ୍ଥିତିରେ ଅନ୍ତରାଷ୍ଟ୍ରୀୟ ଶକ୍ତି ଏଜେନ୍ସି ଚେତାବନୀ ଦେଇଛି ଯେ, ବିଶ୍ୱରେ ଏକ ବଡ ଶକ୍ତି ସଙ୍କଟ ଦେଖିବାକୁ ମିଳିବ । ଋଷ-ୟୁକ୍ରେନ ଯୁଦ୍ଧ, ଆଗାମୀ ଦିନରେ ଭାରତରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ୨୫ଟଙ୍କା ପର୍ଯ୍ୟନ୍ତ ବଢିପାରେ ।  
ବିଶ୍ୱ ଚୁକ୍ତି ଅନୁଯାୟୀ ଅଶୋଧିତ ତୈଳ ଯୋଗାଣ ହୋଇପାରୁ ନାହିଁ । ଜାପାନ, ଆମେରିକା ସହିତ ଆଇଇଏର ସଦସ୍ୟ ରାଷ୍ଟ୍ରଗୁଡିକ ନିଜ ନିଜ ଭଣ୍ଡାରରୁ ୬କୋଟି ବ୍ୟାରେଲ ତେଲ ଛାଡିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଏହା ଦିନକର ତୈଳ ଆବଶ୍ୟକତାଠାରୁ ବି କମ୍  । ଏଭଳି କ୍ଷେତ୍ରରେ ଆଗାମୀ ଦିନରେ ଅଶେଧିତ ତୈଳ ଦର ଆହୁରି ବଢିପାରେ ।

ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ଡଲାର ଟପିବା ପରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ବିକ୍ରିରେ କଂପାନିଗୁଡିକ ପ୍ରାୟ ୯ଟଙ୍କାର କ୍ଷତି ସହୁଛନ୍ତି  । ଆସନ୍ତା ସପ୍ତାହ ରାଜ୍ୟ ନିର୍ବାଚନ ଶେଷ ହେବା ପରେ କଂପାନୀ ଗୁଡିକ ଦର ବୃଦ୍ଧି ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି  । ଆଜି ଅଶୋଧିତ ତୈଳ ଦାମ୍ ୧୧୩ଡଲାର ସ୍ତର ଅତିକ୍ରମ କରିଛି  । ଆଠ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଆନ୍ତର୍ଜାତିକ ବଜାରରେ ତେଲ ଏତେ ମହଙ୍ଗା ହୋଇଛି, ଯାହା ଭାରତ ଭଳି ଆମଦାନି ଉପରେ ନିର୍ଭରଶୀଳ ଦେଶ ଲାଗି ଏକ ବଡ ବିପଦ ହୋଇପାରେ  ।
ୟୁକ୍ରେନରେ ଋଷିଆ ଆକ୍ରମଣ କରିବା ପରଠାରୁ ତେଲ ବଜାର ଅସ୍ଥିର ରହିଛି  । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ନିୟମିତ ବ୍ୟବଧାନରେ ବୃଦ୍ଧି ପାଉଛି  । ମାର୍ଚ୍ଚ ୧ରେ ଦର ୧୦୨ଡଲାର ଥିଲା  । ଗତବର୍ଷ ନଭେମ୍ବରରେ ଯେତେବେଳେ ଅଶୋଧିତ ତୈଳ ଦର ୮୧.୫ ଡଲାର ଥିଲା ତା’ପରଠାରୁ ତେଲ କଂପାନିଗୁଡିକ ଆଉ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ସଂଶୋଧନ କରିନାହାଁନ୍ତି  । ଦୀର୍ଘ ୧୧୮ଦିନ ହେଲାଣି ଦର ଅପରିବର୍ତ୍ତିତ ରହିଛି  । ଏହାସତ୍ତ୍ୱେ ପେଟ୍ରୋଲ ଲିଟର ଦାମ୍ ୧୦୦ଟଙ୍କାରୁ ଅଧିକ ରହିଛି । ଇତିମଧ୍ୟରେ ଅଶୋଧିତ ତୈଳ ଦରରେ ୨୫ଡଲାର ବୃଦ୍ଧି ହୋଇସାରିଲାଣି  ।  ଯଦି ତାହାର ସବୁ ବୋଝ ଗ୍ରାହକଙ୍କ ଉପରେ ଲଦିବାକୁ କଂପାନୀଗୁଡିକ ନିଷ୍ପତ୍ତି ନେବେ, ତେବେ ପେଟ୍ରୋଲ ଓ ଡିଜେଲ ଦାମ୍ ଅସହ୍ୟ ସ୍ତରକୁ ଚାଲିଯିବ  । ତେବେ ୨୫ଟଙ୍କା ଦର ବୃଦ୍ଧି ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏଭଳି ସ୍ଥିତିରେ ଏହା ଆଶଙ୍କା କରାଯାଉଛି ।