ପୁଲିସ ତାଜୁବ, ବସରୁ ମିଳିଲା ୪ ପେଟି ଟଙ୍କା
ପୁଲିସ ତାଜୁବ, ବସରୁ ମିଳିଲା ୪ ପେଟି ଟଙ୍କା
କଟକ: ବସରୁ ମିଳିଲା ୪ ପେଟି ଟଙ୍କା । ଯାହାକୁ ଦେଖିଲ ପରେ ପୁଲିସ ତାଜୁବ ହୋଇଯାଇଛି । କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ଏକ ବସ୍ରୁ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ କରିଛି ପୁଲିସ । ଜବତ ହୋଇଥିବା ଟଙ୍କାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ । ଏହି ଘଟଣାରେ ପୁଲିସ ସୁକୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ବ୍ୟକ୍ତିଙ୍କ ଭିଣୋଇ ସୁନା ବ୍ୟବସାୟୀ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ କଟକରୁ କୋଲକାତା ଯାଉଥିବା ଏକ ବସ୍ରେ ଗଂଜେଇ ଚୋରା ଚାଲାଣ ହେଉଥିବା ଟାଙ୍ଗୀ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଟାଙ୍ଗୀ ପୁଲିସ ଟୋଲଗେଟ୍ ନିକଟରେ ଜଗି ରହିଥିଲା । ବସ୍ଟିକୁ ଟୋଲଗେଟ୍ ନିକଟରେ ଅଟକାଇ ଖୋଜାଖୋଜି କରିଥିଲା । ହେଲେ ବସ୍ରୁ ଗଞ୍ଜେଇ ବଦଳରେ ୪ଟି ପେଟି ଟଙ୍କା ପୁଲିସ ଜବତ କରିଥିଲା । ପୁଲିସ ଟଙ୍କା ପେଟିକୁ ଜବତ କରି ଥାନାକୁ ଆଣିଥିଲା । ଅଟକ ଥିବା ବ୍ୟକ୍ତି ଜଣଙ୍କ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ, କେଉଁ କାମ ପାଇଁ ବସ୍ରେ ଏତେ ଟଙ୍କା ନେଉଥିଲେ, ତାହା ତାଙ୍କୁ ପଚରାଯିବାରୁ ସେ କଲିକତାରେ ଯାଉଥିବା କହିଥିଲେ । ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ଏହି ଟଙ୍କା ଦେବେ ବୋଲି କହିଥିଲେ । ସେ ପୂର୍ବରୁ ମଧ୍ୟ ୪୦ରୁ ୫୦ଲକ୍ଷ ଟଙ୍କା ନେଇ ଯାଇଥଇଲେ ବୋଲି ସେ କହିଛନ୍ତି । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଟଙ୍କା ବିଷୟରେ କିଛି ଜାଣିନାହାନ୍ତି, କେବଳ ଟଙ୍କା ନେବା ପାଇଁ ସେ ମାଧ୍ୟମ ।




admin 