ପୁତ୍ରର ଅଙ୍ଗ ଦାନ କଲେ ବାପା, ପୁରସ୍କାର ଘୋଷଣା କଲେ ନବୀନ

ପୁତ୍ରର ଅଙ୍ଗ ଦାନ କଲେ ବାପା, ପୁରସ୍କାର ଘୋଷଣା କଲେ ନବୀନ

ପୁତ୍ରର ଅଙ୍ଗ ଦାନ କଲେ ବାପା, ପୁରସ୍କାର ଘୋଷଣା କଲେ ନବୀନ
ଭୁବନେଶ୍ୱର: ମସ୍ତିଷ୍କ ମୃତୁ୍ୟ ଘଟିଥିବା ଯୁବକ ପୁତ୍ରର ବିଭିନ୍ନ ଅଙ୍ଗ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦାନ କରି ମହାନ୍ ଆଦର୍ଶ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଲାଲସିଂ ଅଞ୍ଚଳର ବାବୁଲି ସେଠୀ । ସୁରଜଙ୍କ ପିତା ବାବୁଲି ସେଠୀ ଓ ମାତା ଗୀତାଞ୍ଜଳି ସେଠୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ମହାନ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ସାରା ସମାଜ ଏକ ଆଦର୍ଶ ହେବା ସହିତ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ସହାୟକ ହେବ ବୋଲି କହିଥିଲେ । ସ୍ୱର୍ଗତ ସୁରଜ ସେଠୀଙ୍କ ପରିବାର ଗରିବ ହୋଇଥିବାରୁ ତାଙ୍କୁ ଏକ ଘରଡିହ ଜାଗା ସହିତ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା ଭଳି ମହତ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଏ ଦିଗରେ ଭଲ କାର୍ଯ୍ୟ କରୁଥିବା ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ମାନିତ କରିବା ପାଇଁ ସୁରଜଙ୍କ ନାମରେ ବାର୍ଷିକ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସୁରଜଙ୍କ ପିତାମାତାଙ୍କର ଏକ ଅତ୍ୟନ୍ତ ବିରଳ ମାନବିକତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଥିଲେ । ନିକଟରେ ସୁରଟରେ କାର୍ଯ୍ୟରତ ତାଙ୍କ ପୁତ୍ର ସୁରଜ ଅକ୍ଟୋବର ୨୯ ତାରିଖ ଦିନ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରେ ୫-୬ ସୀଦ ଜୀବନ ସହିତ ସଂଘର୍ଷ କରିବା ପରେ ନଭେମ୍ବର ୨ ତାରିଖ ଦିନ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ସ୍ଥାନୀୟ ଏନଜିଓ ସହାୟତାରେ ସୁରଜଙ୍କ ଶରୀରରୁ ହୃତପିଣ୍ଡ, ଦୁଇ କିଡନୀ, ଲିଭର ଓ ଦୁଇ ଆଖିକୁ ତୁରନ୍ତ କଢ଼ାଯାଇ ବିଭିନ୍ନ ସ୍ଥାନରେ ଅନ୍ୟ ବ୍ୟକ୍ତିଙ୍କ ଶରୀରର ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇଛି । ହୃତପିଣ୍ଡକୁ ତୁରନ୍ତ ବିମାନ ଯୋଗେ ମୁମ୍ବାଇସ୍ଥିତ ଫର୍ଟିସ ହସ୍ପିଟାଲରେ ଚିକିତ୍ସିତ ଜଣେ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଦୁଇଟିଯାକ କିଡନୀ ଓ ଲିଭରକୁ ଅହମ୍ମଦାବାଦରେ ୩ ଜଣଙ୍କ ଶରୀରରେ ଏବଂ ଦୁଇ ଆଖିକୁ ସୁରତର ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ସୁରଜଙ୍କ ପିତାମାତା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ ।