ପିପିଲି ଉପନିର୍ବାଚନ : ରୁଦ୍ରଙ୍କ ସପକ୍ଷରେ ପ୍ରଦୀପ ମହାରଥିଙ୍କ ଭାଇ
ପିପିଲି ଉପନିର୍ବାଚନ : ରୁଦ୍ରଙ୍କ ସପକ୍ଷରେ ପ୍ରଦୀପ ମହାରଥିଙ୍କ ଭାଇ
admin
Mar 17, 2021 - 11:08
Updated: Mar 17, 2021 - 11:08
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଗୁଲ ବଜାଇ ସାରିଛନ୍ତି । ଅପରପକ୍ଷରେ ଶାସକ ବିଜେଡ଼ି ଦଳୀୟ ସଂଗଠନକୁ ସଜାଡ଼ିବା ସହ ପ୍ରାର୍ଥୀ ଚୟନ ନେଇ ଅଙ୍କକଷା ଜାରି ରଖିଛି । ତେବେ ଦିବଂଗତ ପ୍ରଦୀପ ମହାରଥିଙ୍କ ପରେ କାହାକୁ ପିପିଲିରୁ ପ୍ରାର୍ଥୀ କରାଯିବ ସେନେଇ ଚର୍ଚ୍ଚା ଆଲୋଚନା ଚାଲିଥିବାବେଳେ ମହାରଥିଙ୍କ ପରିବାରରୁ ହିଁ ଜଣଙ୍କୁ ଟିକେଟ ମିଳିବ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି । ମହାରଥିଙ୍କ ପନôୀ ପ୍ରତିଭା ମହାରଥି ନା ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥିଙ୍କୁ ପ୍ରାର୍ଥୀ କରାଯିବ ସେନେଇ କିନ୍ତୁ ଅଙ୍କକଷା ଚାଲିଥିବା କୁହାଯାଉଛି । ଏପରିକି ପ୍ରତିଭାଙ୍କ ସପକ୍ଷରେ ଗୋଟିଏ ଗୋଷ୍ଠୀ ଯୁକ୍ତି ବାଢୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ରୁଦ୍ରଙ୍କ ପାଇଁ ଲବି କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଉଭୟ ପ୍ରତିଭା ଓ ରୁଦ୍ର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି ବୋଲି ପିପିଲିରେ ଚର୍ଚ୍ଚା ହେଉଛି ।
ଗୋଟିଏ ପଟେ ଏଭଳି ଚର୍ଚ୍ଚା ଜାରି ରହିଥିବାବେଳେ ଆଜି ମହାରଥିଙ୍କ ଭାଇ ପ୍ରଣୟ ମହାରଥି ମୁହଁ ଖୋଲିଛନ୍ତି । ପ୍ରଣୟ କହିଛନ୍ତିଯେ, ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଅଛି । ଏଭଳି କ୍ଷେତ୍ରରେ ଜଣେ ଯୁବକଙ୍କୁ ପ୍ରାର୍ଥୀ କରାଗଲେ ଭଲ ହେବ । ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରାଗଲେ ବହୁତ ଭଲ ହେବବୋଲି ସେ କହିଛନ୍ତି । ତାଙ୍କ ପଛରେ ପୂରା ପରିବାର ରହିଛି । ସେହିପରି ପ୍ରତିଭାଙ୍କ ପ୍ରାର୍ଥୀତ୍ୱକୁ ନେଇ ସେ କହିଛନ୍ତିଯେ, ଉପନିର୍ବାଚନ ହେଲେ ସେ ଜିତିବେ । କିନ୍ତୁ ଭବିଷ୍ୟତ କଥା କୁହାଯାଇପାରିବ ନାହିଁ । ଭବିଷ୍ୟତରେ ଏଠାରେ ବିଜେଡ଼ିର ସ୍ଥିତି ରହିପାରିବ ନାହିଁ । ପିପିଲିକୁ ସଂଗଠନ ଦରକାର । ତେବେ ଯାହା ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ ତାହାକୁ ସେମାନେ ମାନିବେ ବୋଲି ପ୍ରଣୟ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟଯେ, ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ଯୋଗୁଁ ପିପିଲିରେ ଉପନିର୍ବାଚନ ହେବ । ଇତିମଧ୍ୟରେ ଉଭୟ ପ୍ରତିଭା ଓ ରୁଦ୍ର ନିଜ ନିଜ ଶୈଳୀରେ ସଂଗଠନ କରିବା ସହ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ପ୍ରଦୀପଙ୍କ ଝିଅ ଓ ଜ୍ୱାଇଁ ବି ଉପସ୍ଥିତ ରହିଥିଲେ । ଫଳରେ ମହାରଥିଙ୍କ ପରିବାରରୁ କିଏ ପ୍ରାର୍ଥୀ ହେବେ ସେନେଇ ସ୍ୱାଭାବିକ ଭାବେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।