ପଶ୍ଚିମବଙ୍ଗରେ ସଡ଼କ ଦୁର୍ଘଟଣା ଘଟି ୧୩ ଜଣ ମୃତ୍ୟୁ

ପଶ୍ଚିମବଙ୍ଗରେ ସଡ଼କ ଦୁର୍ଘଟଣା ଘଟି ୧୩ ଜଣ ମୃତ୍ୟୁ

ପଶ୍ଚିମବଙ୍ଗରେ ସଡ଼କ ଦୁର୍ଘଟଣା ଘଟି ୧୩ ଜଣ ମୃତ୍ୟୁ
କୋଲ୍‌କାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲା ଅନ୍ତର୍ଗତ ଧୂପଗୁଡ଼ି ସହରରେ ସଡ଼କ ଦୁର୍ଘଟଣା ଘଟି ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୮ଜଣ ଆହତ ହୋଇଛନ୍ତି। ମୃତ ୧୩ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ପୁରୁଷଙ୍କ ସମେତ ଛଅଜଣ ମହିଳା ଓ ଚାରିଜଣ ପିଲା। ବିବାହ ଅନୁଷ୍ଠାନକୁ ଅତିଥି ହୋଇ ଯାଉଥିବା କିଛି ଲୋକଙ୍କୁ ନେଇ ଚୂଡ଼ଭଣ୍ଡାର ଲାଲ୍‌ ସ୍କୁଲ୍‌ରୁ ଧୂପଗୁଡ଼ି ଯାଉଥିବା ଯାନ ଜାତୀୟ ରାଜପଥରେ ଥିବା ଜଳଢ଼ାକା ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ହୋଇଥିବା ୧୮ଜଣଙ୍କ ମଧ୍ୟରୁ ଚାରିଜଣଙ୍କୁ ଜଳପାଇଗୁଡ଼ି ସୁପରସ୍ପେସାଲିଟି ହସ୍ପିଟାଲ୍‌, ତିନିଜଣଙ୍କୁ ଉତ୍ତରବଙ୍ଗ ମେଡିକାଲ୍‌ କଲେଜ, ଏବଂ ଜଣଙ୍କୁ ଜଳପାଇଗୁଡ଼ି ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଟାଟା ମେଜିକ୍‌, ଗୋଟିଏ ମାରୁତି ଭ୍ୟାନ୍‌ ଏବଂ ଗୋଟାଏ କାର୍‌ ଧୂପଗୁଡ଼ି ଆଡ଼କୁ ଯାଉଥିଲେ। କୁହୁଡ଼ି ଯୋଗୁଁ ଦୃଶ୍ୟତା ହ୍ରାସ ପାଇଥିବା କାରଣରୁ ଆଗରେ ଯାଉଥିବା ଗାଡ଼ିଟି ହଠାତ୍‌ ଗୋଟାଏ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଖାଇଥିଲା। ଟ୍ରକ୍‌ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ଟାଟା ମ୍ୟାଜିକ୍‌ ପଛେ ପଛେ ଯାଉଥିବା ମିନିଭ୍ୟାନ୍‌ ଏବଂ କାର୍‌ ମଧ୍ୟ ଟ୍ରକ୍‌ ସହ ଧକ୍କା ଖାଇଥିଲେ। ଟ୍ରକ୍‌ଟି ଡାହାଣ ପଟକୁ ଅଣେଇ ପଡ଼ିବାରୁ ସେଥିରେ ଥିବା ପଥର ଖଣ୍ଡମାନ ଗଡ଼ିଆସି ଯାତ୍ରୀମାନଙ୍କ ଉପରେ ପଡ଼ିଥିଲା।