ନରାଜରେ ଡେଇଁଲା ସତର୍କ ସଙ୍କେତ

ନରାଜରେ ଡେଇଁଲା ସତର୍କ ସଙ୍କେତ

ନରାଜରେ ଡେଇଁଲା ସତର୍କ ସଙ୍କେତ


ଭୁବନେଶ୍ୱର: ବନ୍ୟା  ଜଳ ଆସୁଛି ମହାନଦୀରେ । ୨୮ଟି ଗେଟ ଖୋଲି ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ଛଡ଼ାଯାଉଛି । ହୀରାକୁଦକୁ ୪.୭୪ ଲକ୍ଷ କୁ୍ୟସେକ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୪.୮୭ ଲକ୍ଷ କୁ୍ୟସେକ ଜଳ ଛଡ଼ାଯାଉଛି । ଏହି ପାଣି ମୁଣ୍ଡୁଳିରେ ପହଂଚିଲେ ଆସନ୍ତାକାଲି ସକାଳରୁ ମଧ୍ୟାହ୍ନ ଭିତରେ ମୁଣ୍ଡୁଳିରେ ୮ ଲକ୍ଷ ପାଖାପାଖି ପାଣି ନିଷ୍କାସିତ ହେବ । ଏଥିରେ ବଡ଼ ବନ୍ୟା ହେବନି । ତଥାପି ତଳମୁଣ୍ଡ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ ଶନିବାର ରାତିରେ । ଏଥିପାଇଁ ସଜାଗ ରହିଛନ୍ତି ଜଳ ସମ୍ପଦ ବିଭାଗ, ସମସ୍ତ ଜିଲ୍ଲା ପ୍ରଶାସନ ।

  ମହାନଦୀ ଉପରମୁଣ୍ଡରୁ ବର୍ଷା ପାଣି ଆସୁଥିବାରୁ ନରାଜରେ ସତର୍କ ସଙ୍କେତ ଟପିଯାଇଛି । ଜଳସ୍ତର ସକାଳ ୯ଟାବେଳେ ୨୫.୬୭ ମିଟର ଥିଲା । ସତର୍କ ସଙ୍କେତ ସ୍ତର ୨୫.୪୧ ମି । ୯ଟାବେଳେ ଖଇରମାଳରେ ୬.୫୪ ଲକ୍ଷ କୁ୍ୟସେକ, ବରମୁଳରେ ୬.୧୩ ଲକ୍ଷ କୁ୍ୟସେକ ଓ ମୁଣ୍ଡୁଳିରେ ୬.୨୦ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେଉଥିଲା । 

  ସେହିପରି ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ଜଳକା ନଦୀକୁ ନେଇ ବି ଚିନ୍ତା ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି । ବୈତରଣୀ ଆଖୁଆପଦାରେ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ଜଳସ୍ତର କମୁଛି । ବୁଢ଼ାବଳଙ୍ଗ ଏନଏଚ-୫ରେ ଏବେ ବି ସତର୍କ ସଙ୍କେତ ଉପରେ ଅଛି । ଆଶ୍ୱସ୍ତି ହେଲା, ପାଣି ଖସୁଛି । ବେଶି ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା । ଜାମଶୋଳାର ବିପଦ ସଙ୍କେତ ଉପରେ ଥିବାବେଳେ ରାଜଘାଟରେ ବି ବିପଦ ସଙ୍କେତ ଡେଇଁଛି । ରାଜଘାଟରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ହୋଇଥିବାବେଳେ ୧୦.୫୧ ମିଟରରେ ପ୍ରବାହିତ ହେଉଛି । ଜଳକା ଏବେ ବି ବିପଦ ସଙ୍କେତ ଉପରେ ବହୁଛି । ଯଦିଓ ଜଳସ୍ତର ସେଠାରେ ଧୀରେଧୀରେ କମୁଛି । ବ୍ରାହ୍ମଣୀ ଜଳସ୍ତର ଏବେ କମିବାରେ ଲାଗିଛି ।ର୍

  ସମସ୍ତ ପ୍ରଭାବିତ ଜିଲ୍ଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍ ପଠାଯାଇଛି ।