ନବ ଦାସଙ୍କୁ ଗୁଳିମାଡ଼ ଘଟଣା : ଗୋପାଳ ଦାସଙ୍କ ନାଁ'ରେ ଏତଲା ଦେଲେ ବ୍ରଜରାଜନଗର ଥାନା ଅଧିକାରୀ
ନବ ଦାସଙ୍କୁ ଗୁଳିମାଡ଼ ଘଟଣା : ଗୋପାଳ ଦାସଙ୍କ ନାଁ'ରେ ଏତଲା ଦେଲେ ବ୍ରଜରାଜନଗର ଥାନା ଅଧିକାରୀ
ବ୍ରଜରାଜନଗର: ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁଳି ମାରିଥିବା ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡିଉଟି ଦିଆଯାଇଥିଲା। ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଦିଆ ଯାଇଥିଲା ଭିନ୍ନ ଭିନ୍ନ ଡିଉଟି। ନବ ଦାସ ୧୨ଟା ୧୫ ମିନିଟ୍ ପାଖାପାଖି ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ।
ନବଙ୍କୁ ଗୁଳି ମାରିବା ପରେ ତାଙ୍କୁ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ରାମପୁର ପୁଲିସ ଆଉଟ ପୋଷ୍ଟ କନେଷ୍ଟବଳ କେ ସି ପ୍ରଧାନ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଗୋପାଳ ଆଉ ଦୁଇ ରାଉଣ୍ଡ ଫାୟାରିଂ କରିଥିଲା। ଆଉ ଦୁଇ ରାଉଣ୍ଡ ଫାୟାରିଂରେ କଳିଙ୍ଗ ନଗର ବାସିନ୍ଦା ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଇଆଇସିଙ୍କ ଆଙ୍ଗୁଳିରେ ଗୁଳି ଲାଗିଥିଲା।ଏନେଇ ଗୋପାଳ ଦାସଙ୍କ ନାଁରେ ବ୍ରଜରାଜନଗର ଥାନାରେ ଆଇଆଇସିଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ାରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରିଥିଲେ । ଯେଉଁଥିରେ ନବ ଦାସ ହିଁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ସ୍ୱତନ୍ତ୍ର ବିମାନ ଯୋଗେ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଗ୍ରୀନ୍ କରିଡରରେ ନବ ଦାସଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲଗାତର ଭାବେ ନବ ଦାସଙ୍କ ଚିକିତ୍ସା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ଶେଷରେ ଡାକ୍ତରଙ୍କ ଶତ ଚେଷ୍ଟା ହୋଇଥିଲା ବିଫଳ । ଆଉ ମେଡିକାଲରେ ହିଁ ଆଖିବୁଜିଥିଲେ ନବ ଦାସ ।




admin 