ଝାରସୁଗୁଡ଼ା ଉପନିର୍ବାଚନ, ବିଜେଡିରୁ ଦୀପାଳିଙ୍କୁ ମିଳିପାରେ ଟିକେଟ୍
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତୁ୍ୟପରେ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମଇ ୧୦ରେ ଏନେଇ ଉପନିର୍ବାଚନ ହେବ । ଏନେଇ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ୨୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ । ମେ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଭୋଟ ଗଣତି କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଏହାରି ଭିତରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ କାହାକୁ ଟିକେଟ୍ ଦେବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ଆଉ ଆଲୋଚନା ।
ଗୋଟିଏ ପଟେ ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଗୁଆ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛି ବିଜେଡି । ନବ ଦାସଙ୍କ ଝିଅ ଦୀପାଳି ଦାସ ଗାଁକୁ ଗାଁ ବୁଲିବା ସହିତ ସଙ୍ଗଠନ ସଜାଡୁଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ସେ ଲୋକଙ୍କ ପାଖରେ ପହଞ୍ଚିବା ସହିତ ନାନାଦି କାର୍ୟ୍ୟକ୍ରମରେ ସାମିଲ ହେଉଛନ୍ତି । ଖାଲି ସେତିକି ନୁହେଁ, ମନ୍ଦିର ପ୍ରତିଷ୍ଠାଠୁ ଆରମ୍ଭ କରି ନାମଯଜ୍ଞ ଭଳି କାର୍ୟ୍ୟରେ ମଧ୍ୟ ଦୀପାଳି ସାମିଲ ହେଉଛନ୍ତି । କୁହାଯାଉଛି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଉପ ନିର୍ବାଚନ ଟିକେଟ୍ ଦେବାପାଇଁ ବିଜେଡି ଏକପ୍ରକାରର ପକ୍କା କରିସାରିଛି । ଦୀପାଳିଙ୍କୁ ଟିକେଟ୍ ଦେଇ ଶାସକ ଦଳ ଅନୁକମ୍ପା ଭୋଟ୍ ହାତେଇବା ସହିତ ମହିଳା କାର୍ଡ ବି ଖେଳିପାରେ । ତେଣୁ ଏଥର ଝାରସୁଗୁଡା ଉପ ନିର୍ବାଚନରେ ବିଜେଡି ଦୀପାଳିଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ବିଜେଡି ଦୀପାଳିଙ୍କୁ ଟିକେଟ୍ ଦେବାର କାରଣ ବି ଅଛି । କାରଣ ଅଧିକାଂଶ ସମୟରେ ଦୀପାଳି ହିଁ ନବଙ୍କ ସହ ନିର୍ବାଚନ କ୍ୟାମ୍ପେନରେ ନଜର ଆସୁଥିଲେ । ପଦ୍ମପୁର ଉପ ନିର୍ବାଚନ ସମୟରେ ମଧ୍ୟ ଦୀପାଳି ବିଜେଡି ପାଇଁ କ୍ୟାମ୍ପେନିଂ କରୁଥିଲେ । ତେଣୁ ନବଙ୍କ ବିୟୋଗ ପରେ ଦୀପାଳିଙ୍କୁ ବିଜେଡି ଟିକେଟ୍ ଦେବା ଏକପ୍ରକାର ପକ୍କା ବୋଲି ଅନ୍ଦର ମହଲରୁ ସୂଚନା ମିଳୁଛି ।




admin 