ଝାରସୁଗୁଡ଼ା ଉପନିର୍ବାଚନ: ବିଜେପି ଟିକେଟ ରେସରେ ଏହି ଦୁଇ ଜଣ
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତୁ୍ୟପରେ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ମଇ ୧୦ରେ ଏନେଇ ଉପନିର୍ବାଚନ ହେବ । ଏନେଇ ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ଏପ୍ରିଲ ୨୦ ପର୍ୟ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବାକୁ ଥିବାବେଳେ ୨୪ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ । ମେ ୧୦ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ମେ ୧୩ରେ ଭୋଟ ଗଣତି କରାଯିବା ନେଇ ଦିନ ଧାର୍ୟ୍ୟ କରାଯାଇଛି । ତେବେ ଏହାରି ଭିତରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ କାହାକୁ ଟିକେଟ୍ ଦେବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ଆଉ ଆଲୋଚନା ।
୨୦୧୯ରେ କଡା ଟକ୍କର ଦେଇଥିବା ବିଜେପି ଏଥର ଦିବଙ୍ଗତ ବିଧାୟକ ନବ ଦାସଙ୍କ ଅନୁପସ୍ଥିତିରେ, ଝାରସୁଗୁଡା ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରିଛି । କୁହାଯାଉଛି ଗତଥର ନବଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ପୁଣିଥରେ ପ୍ରାର୍ଥୀ କରିପାରେ ଭାରତୀୟ ଜନତା ପାର୍ଟି । ନଚେତ୍ ଦିନେଶଙ୍କ ଜାଗାରେ ଟଙ୍କଧରଙ୍କୁ ପ୍ରାର୍ଥୀ କରି ଦଳ ଜଣେ ଯୁବ ଚେହେରାଙ୍କୁ ମଧ୍ୟ ସାମ୍ନାକୁ ଆଣିପାରେ । ଏହି ଦୁଇ ଚେହେରାଙ୍କ ଭିତରୁ ଜଣକୁ ବିଜେପି ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଯେହେତୁ ଗତ ସାଧାରଣ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ତେଣୁ ଏଥର ମଧ୍ୟ ଜଣେ ଲଢୁଆ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣି ଦଳ ଝାରସୁଗୁଡା ବିଜୟର ରୂପରେଖ ପ୍ରସ୍ତୁତ କରୁଛି । ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ବିଧାନସଭା ଭୋଟରେ ବିଜେପିକୁ ୫୦ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ସେହି ଭୋଟ୍ ପ୍ରତିଶତକୁ ବଢାଇବା ସହିତ ବିଜେଡିକୁ ଚେକ୍ ଦେଇ ଦଳ ପୁଣି ଏକ ଉପ ନିର୍ବାଚନ ବିଜୟର ଆଶା ବାନ୍ଧିଛି ।




admin 