ଚେତା ଫେରିବା ପରେ ଅଟୋରେ ବସାଇ ମେଡିକାଲ ଛକରେ ଫୋପାଡି ଦେଲେ

ଆଶ୍ରମରେ ଦୁଷ୍କର୍ମ ଯୁବତୀଙ୍କୁ ନିଶା ବଟିକା ଦେଲେ ବାବା ଅଚେତ ହେବା ପରେ କଲେ ଦୁଷ୍କର୍ମ ଲହୁ ଲୁହାଣ ଅବସ୍ଥାରେ ଆଶ୍ରମରୁ ବାହାର କରିଦେଲେ

ଚେତା ଫେରିବା ପରେ ଅଟୋରେ ବସାଇ ମେଡିକାଲ ଛକରେ ଫୋପାଡି ଦେଲେ

ଏମିତି ଏକ ଲଜ୍ଜାଜନକ ଘଟଣା ଘଟି ଯାଇଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ । ସ୍ଥାନୀୟ ଅଂଚଳର ଜଣେ ଯୁବତୀକୁ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ରକ୍ତାକ୍ତ ଅବସ୍ଥାରେ ବାବା ଯୁବତୀକୁ ଆଶ୍ରମରୁ ମଧ୍ୟ ବାହାର  କରିଛନ୍ତି । ଆଉ ଶେଷରେ ଅଭିଯୋଗ ପାଇଁ ପୋଲିସ ବାବାଙ୍କୁ ଗିରଫ କରିଛି ।

ଏବେ ଜାଣିବା ସଂପୂର୍ଣ୍ଣ ଘଟଣା । ଅଭିଯୋଗ ଅନୁସାରେ ପୀଡିତା ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେଉଥିଲା । ଏସିଡିଟି ଥିବାରୁ ଉକ୍ତ ରୋଗର ଚିକିତ୍ସା ପାଇଁ  ଗତ କିଛି ମାସ ହେବ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତରେ ଥିବା ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲାଙ୍କ ଆଶ୍ରମକୁ ଯାଇଥିଲେ ପୀଡିତା ।  ସେଠାରେ ଆଲୋଚନା କରି କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ । ଏକ ମାସ ପରେ ପୁଣିଥରେ ଆସି ଔଷଧ ନେବାକୁ ବାବା କହିଥିଲେ । ହେଲେ ଯୁବତୀଙ୍କ ଘର ଦୁରରେ ଥିବାରୁ ସେ ଆସି ନଥିଲେ । ହେଲେ ଗୁରୁବାର ସକାଳେ ଯୁବତୀ ଜଣକ ତାଙ୍କ ସମ୍ପର୍କୀୟଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ।‌ ଯେହେତୁ ଯୁବତୀ ରେଢ଼ାଖୋଲ ଆସିଥିଲେ, ସେ ବାବାଙ୍କୁ ଫୋନ କରି ନିଜ ପାଇଁ ଔଷଧ ଦେବାକୁ କହିଥିଲେ । ଏବଂ ବାବା ଯୁବତୀଙ୍କୁ ବୈଷ୍ଣବ ଝୁଲି ଆଶ୍ରମକୁ ଆସି ଔଷଧ ନେଇଯିବା ପାଇଁ କହିଥିଲେ । ଯୁବତୀ ଜଣକ ଯାଇ ବାବାଙ୍କ ଆଶ୍ରମରେ‌ ପହଞ୍ଚିଥିଲେ । ସେଠାରେ ବାବା ତାଙ୍କୁ ୪ ଟି ବଟିକା ଖାଇବାକୁ ଦେଇଥିଲେ, ବଟିକା ଖାଇବା ପରେ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ । ଅଚେତ ଅବସ୍ଥାରେ ଯୁବତୀକୁ ବାବା ଦୁଷ୍କର୍ମ କରିଥିଲେ ।

 ପରେ ଯୁବତୀଙ୍କ ଚେତା ଫେରିବାରୁ ତାଙ୍କୁ ଏକ ଅଟୋରେ ବସାଇ ଦେଇଥିଲେ ବାବା । ହେଲେ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଷ ଅବସ୍ଥାରେ ମେଡିକାଲ ଛକରେ ପଡି ରହିଥିଲେ । ଖବର ପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ  । ସେପଟେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ ପରେ ପୋଲିସ ଶୁକ୍ରବାର ବାବା ପ୍ରଫୁଲ୍ଲ ମହଲାକୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି ।