ଗୋୟଲଙ୍କୁ ଅପରାଜିତାଙ୍କ ଅନୁରୋଧ
ଗୋୟଲଙ୍କୁ ଅପରାଜିତାଙ୍କ ଅନୁରୋଧ
admin
Jul 7, 2019 - 05:52
Updated: Jul 7, 2019 - 05:52
ଭୁବନେଶ୍ୱର: ଓଡ଼ିଶାରେ ଆଇଆଇଟି, ଆଇଆଇଏମ ଭଳି ବହୁ ଶିକ୍ଷାନୁଷ୍ଠାନ ରହିଛି । କିନ୍ତୁ ବୈଦେଶିକ ବାଣିଜ୍ୟ ଭଳି ସମସ୍ୟା ଉପରେ ଗୁରୁତ୍ୱାରୋପ କରୁଥିବା କୌଣସି ଜାତୀୟ ଅନୁଷ୍ଠାନ ନାହିଁ । ଏଣୁ ରାଜଧାନୀ ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଫରେନ ଟ୍ରେଡ (ଆଇଆଇଏଫଟି) ଖୋଲ । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏଭଳି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଅପରପକ୍ଷରେ ପ୍ରସ୍ତାବିତ ଆଇଆଇଏଫଟି ପାଇଁ ଭୁବନେଶ୍ୱରରେ ମାଗଣାରେ ୫ ଏକର ଜମି ଯୋଗାଇ ଦେବା ସହ ୫ କୋଟି ଟଙ୍କାର ଭିତ୍ତିିଭୂମି ସହାୟତା ଦେବାକୁ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଗୋୟଲଙ୍କୁ ସାକ୍ଷାତ କରି ଭୁବନେଶ୍ୱର ସାଂସଦ କହିଛନ୍ତି, ରାଜଧାନୀରେ ଏମସିଏଲ, ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀର ମୁଖ୍ୟାଳୟ ରହିଛି । ଦେଶର ପ୍ରମୁଖ ଆଇଟି କମ୍ପାନୀ ଏଠାରେ ନିଜର କ୍ୟାମ୍ପସ ଖୋଲିଛନ୍ତି । ଦିନକୁ ଦିନ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ବ୍ୟବସାୟ ବଢ଼ୁଥିବାରୁ ବହୁ କମ୍ପାନୀ ଭୁବନେଶ୍ୱରରେ ନିଜ ବ୍ୟବସାୟ ଜମାଇବାରେ ଲାଗିଛନ୍ତି । ଭୁବନେଶ୍ୱର ଦେଶର ପ୍ରମୁଖ ଶିକ୍ଷା ପେଣ୍ଠ ଭାବେ ଉଭା ହେବାରେ ଲାଗିଛି । କିନ୍ତୁ ବୈଦେଶିକ ବାଣିଜ୍ୟ ସମସ୍ୟା, ରପ୍ତାନୀ ଆମଦାନୀ, ବାଣିଜ୍ୟ ନିୟମ ଆଦି ଉପରେ ଶିକ୍ଷା ପ୍ରଦାନ କରୁଥିବା କୌଣସି ଅନୁଷ୍ଠାନ ଏଠାରେ ନାହିଁ । ଏଣୁ ରାଜ୍ୟ ରାଜଧାନୀରେ ଆଇଆଇଏଫଟି ଖୋଲିବା ପ୍ରକି୍ରୟା ଆରମ୍ଭ କରିବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅପରାଜିତା କହିଛନ୍ତି, ଆଇଆଇଏଫଟି ଭଳି ଶିକ୍ଷାନୁଷ୍ଠାନ ଖୋଲିବାକୁ ବହୁ ରାଜ୍ୟ ମାଗଣାରେ ଜମି ଦେବା ସହ ଭିତ୍ତିଭୂମି ସହାୟତା ଯୋଗାଉଛନ୍ତି । ଏଣୁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତାବିତ ଆଇଆଇଏଫଟି ପାଇଁ ଭୁବନେଶ୍ୱରରେ ୫ ଏକର ଜମି ପରିମିତ ଏକ ସ୍ଥାନ ଚିହ୍ନଟ କରିବା ଆବଶ୍ୟକ । ଏହା ସହ ଏହି ରାଷ୍ଟ୍ରୀୟ ଅନୁଷ୍ଠାନ ପାଇଁ ଆବଶ୍ୟକ ଭିତ୍ତିଭୂମି ଉଦେ୍ଧଶ୍ୟରେ ୫ କୋଟି ଟଙ୍କା ସହାୟତା କଲେ, ଆଇଆଇଏଫଟି ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।