କେବଳ ପଥରରେ ତିଆରି ହେବ ଅଯୋଧ୍ୟା ରାମ ମନ୍ଦିର

କେବଳ ପଥରରେ ତିଆରି ହେବ ଅଯୋଧ୍ୟା ରାମ ମନ୍ଦିର

କେବଳ ପଥରରେ ତିଆରି ହେବ ଅଯୋଧ୍ୟା ରାମ ମନ୍ଦିର
ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କେବଳ ପଥର ବ୍ୟବହାର କରାଯିବ । ଏହାଯୋଗୁଁ ପବନ, ପାଣି ଏବଂ ସୂର୍ଯ୍ୟକିରଣର ପ୍ରଭାବରେ ଘଟୁଥିବା ଅବକ୍ଷୟ ଆଉ ହେବ ନାହିଁ । ଫଳରେ ଏହି ମନ୍ଦିର ୧୦୦୦ ବର୍ଷ ଯାଏଁ ତିଷ୍ଠି ରହିବ । ଏଥିସହିତ ମନ୍ଦିର ନିର୍ମାଣ କାର୍ଯ୍ୟ ୩୬ ରୁ ୪୦ ମାସ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମନ୍ଦିର ନିର୍ମାଣରେ ୧୦,୦୦୦ ତମ୍ବା ନିର୍ମିତ ପ୍ଲେଟ ବ୍ୟବହାର କରାଯିବ । ଏହି ପ୍ଲେଟ ଗୋଟିଏ ପଥରକୁ ଅନ୍ୟ ପଥର ସହ ଯୋଡ଼ିବ । ପ୍ରତି ପ୍ଲେଟର ଲମ୍ବ ୧୮ ଇଞ୍ଚ, ପ୍ରସ୍ଥ ୩୦ ମି.ମି ଏବଂ ମୋଟେଇ ୩ ମି.ମି ରହିବ । ଲାର୍ସନ ଆଣ୍ଟ ଟବ୍ରୋ ମନ୍ଦିର ନିର୍ମାଣ କର୍ମା କରୁଥିଲା ବେଳେ ଆଇଆଇଟି ଚେନ୍ନାଇର ବିଶେଷଜ୍ଞ ସିବିଆରଆଇ ରୁରକିର ଇଞ୍ଜିନିୟରମାନଙ୍କୁ ନିର୍ମାଣ ସ୍ଥଳୀର ମାଟି ଯାଞ୍ଚ କରିବା ଦାୟିତ୍ୱ ଦିଆଯାଇଛି । ସେଣ୍ଟ୍ରାଲ ବିଲଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚୁ୍ୟଟର ଗବେଷକମାନଙ୍କୁ ପ୍ରସ୍ତାବିତ ମନ୍ଦିରକୁ ଭୂକମ୍ପ ନିରୋଧୀ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ରାୟ କହିଛନ୍ତି ଯେ ସାଧାରଣ ଲୋକେ ଚାହିଁଲେ ମନ୍ଦିର ନିର୍ମାଣ ପାଇଁ ଅର୍ଥ କିମ୍ବା ତମ୍ବା ରଡ ଦାନ କରିପାରିବେ । ସୂଚନା ଯୋଗ୍ୟ ଚଳିତ ମାସ ୫ ତାରିଖରେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।