ଓପିନିୟନ୍ ପୋଲ୍ ଉପରେ ରୋକ୍ ଲଗାଇବାକୁ ସପାର ଦାବି
ଓପିନିୟନ୍ ପୋଲ୍ ଉପରେ ରୋକ୍ ଲଗାଇବାକୁ ସପାର ଦାବି
ଲକ୍ଷ୍ନୌ: ବିଭିନ୍ନ ଟିଭି ଚ୍ୟାନେଲରେ ଚାଲୁଥିବା ଓପିନିୟନ ପୋଲ ରିପୋର୍ଟ ଉପରେ ରୋକ ଲଗାଇବାକୁ ଦାବି କରିଛି ସମାଜବାଦୀ ପାର୍ଟି। ପ୍ରାୟ ଅଧିକାଂଶ ଜନମତ ସର୍ଭେ ବିଜେପି ସମର୍ଥନରେ ଯାଉଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛି ବିରୋଧୀ ସମାଜବାଦୀ ପାର୍ଟି।
ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏପରି ସର୍ଭେ ଠିକ୍ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିସହ ଏହା ଉପରେ ରୋକ ଲଗାଇବାକୁ ଦଳ ନିର୍ବାଚନ କମିଶନକୁ ଚିଠି ଲେଖିଛି।
ନିର୍ବାଚନ କମିଶନକୁ ସାମାଜବାଦୀ ପାର୍ଟି ଲେଖିଥିବା ଚିଠିରେ ଦାବି କରିଛି ଯେ ଓପିନିୟନ ପୋଲ ଟିଭିରେ ପ୍ରକାଶ ପାଇବା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ଏହା ଭୋଟରଙ୍କୁ ବିଭ୍ରାନ୍ତ କରିବା ସହ ନିର୍ବାଚନ ଉପରେ ପ୍ରଭାବ ପକାଇବ। ତେଣୁ କମିଶନ ତୁରନ୍ତ ଏପରି ଏହା ଉପରେ ରୋକ ଲଗାଇବା ଦରକାର।
ତେବେ ବିଜେପି ପକ୍ଷରୁ କୁହାଯାଇଛି ଅଖିଲେଶ ଯାଦବ ଓ ସମାଜବାଦୀ ପାର୍ଟିର ହତାଶା ଭାବକୁ ଦର୍ଶାଉଛି। ସେମାନେ ପରାଜୟ ସ୍ୱୀକାର କରି ସାରିଛନ୍ତି। ଅଖିଲେଶ ଯାଦବ କେତେବେଳେ ନିର୍ବାଚନ କମିଶନଙ୍କ ପକ୍ଷ ପାତିତା ଉପରେ ପ୍ରଶ୍ନ ଉଠାଉଛନ୍ତି ତ ଆଉ କେତେବେଳେ ଡିଜିଟାଲ ମିଡିୟମ ପ୍ରଚାରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି।
ଏବେ ସେ ଜନମତ ସର୍ଭେ ଉପରେ ରୋକ ଲଗାଇବାକୁ ଚାହୁଁଛନ୍ତି। ପ୍ରକୃତ କଥା ହେଲା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ଦେଖି ବିଚଳିତ ହୋଇ ପଡ଼ିଛନ୍ତି। ଓପିନିୟନ ପୋଲ ଉପରେ ବ୍ୟାନ ଲାଗିଲେ ମଧ୍ୟ ସମାଜବାଦୀ ପାର୍ଟି ପରାଜୟରୁ ବର୍ତ୍ତି ପାରିବ ନାହିଁ।”




admin 