ବିଜୟଙ୍କ ପାଇଁ ଅଂଟା ଭିଡ଼ିଲେ ଧର୍ମେନ୍ଦ୍ର

ବିଜୟଙ୍କ ପାଇଁ ଅଂଟା ଭିଡ଼ିଲେ ଧର୍ମେନ୍ଦ୍ର

ବିଜୟଙ୍କ ପାଇଁ ଅଂଟା ଭିଡ଼ିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ନିର୍ବାଚନ ସିନା ସରିଯାଇଛି ହେଲେ ରାଜନୀତିକ ତାତି କିନ୍ତୁ କମି ନାହିଁ । ଧିରେଧିରେ ଭୋଟର ଉଷ୍ମ ଲହରୀ ପାଟକୁରାରୁ ବିଜେପୁର ଯାଏଁ ବହିବାରେ ଲାଗିଛି । ଦୁଇଟି ଯାକ ହାଇ ଭୋଲଟେଜ ନିର୍ବାଚନମଣ୍ଡଳୀରେ ନିର୍ବାଚନକୁ ନେଇ ସବୁ ଦଳ ଅଙ୍କ କଷିବାରେ ଲାଗି ପଡ଼ିଛନ୍ତି । ପାଟକୁରା ପାଇଁ ପ୍ରାର୍ଥୀ ଚୟନ ଟେନସନ ନଥିବାବେଳେ ବିଜେପୁରରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଏଯାଏଁ ଅଙ୍କ ଛିଣ୍ଡିପାରିନାହିଁ । ତେବେ ଦୁଇଟି ଯାକ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଲଢେ଼ଇରେ ନଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ଲଢ଼ି ବିଜୟୀ ହୋଇଛନ୍ତି । ଏବେ ସେ ବିଜେପୁର ଆସନରୁ ଇସ୍ତଫା ଦେଇଥିବାରୁ ସେଠାରେ ବି ନିର୍ବାଚନ ହେବ । ଦୁଇଟି ଯାକ ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଖୁବଶୀଘ୍ର ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ଜାରି କରିବେ । ତେବେ ପୂର୍ବଥର ଭଳି ଏଥର କିନ୍ତୁ ବିଜେପୁର ଉପରେ ବିଜେପି ବେଶୀ ଫୋକସ କରିବ ନାହିଁ । ସବୁ ଧ୍ୟାନ ଏବେ ପାଟକୁରା ଉପରେ କେନ୍ଦ୍ରୀଭୂତ ହେବ । ପାଟକୁରାରୁ ଲଢ଼ୁଛନ୍ତି ବିଜୟ ମହାପାତ୍ର । ବିଜୟଙ୍କ ସହ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କର ତିକ୍ତତା ରହିଆସିଛି । ଏହା ସମସ୍ତେ ଜାଣନ୍ତି । ବିଜୟଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ନବୀନ ନିଜ ପୂର୍ବ ସଂକଳ୍ପରେ ଅଟଳ ରହିଛନ୍ତି । ତେବେ ବିଜେପି ପାଇଁ ଖୁସିର ଖବର ହେଉଛି ପୂର୍ବଭଳି ଆଉ ଧର୍ମେନ୍ଦ୍ର ଓ ବିଜୟଙ୍କ ମଧ୍ୟରେ ତିକ୍ତତା ନାହିଁ । ବରଂ ପାଟକୁରା ନିର୍ବାଚନରେ ଧର୍ମେନ୍ଦ୍ର ହିଁ ବିଜୟଙ୍କ ସାରଥୀ ହେବା ପାଇଁ ଅଂଟା ଭିଡ଼ିସାରିଲେଣି । ଏଥିପାଇଁ ବିଜୟ ଏବେ ଦିଲ୍ଲୀରେ ରଣନୀତି କରୁଛନ୍ତି । ଅପରପକ୍ଷରେ ଲୋକସଭା ନିର୍ବାଚନରେ ହାରିଯାଇଥିବା ବୈଜୟନ୍ତ ପଣ୍ଡାଙ୍କ ନିମନ୍ତେ ପାଟକୁରା ନିର୍ବାଚନ ଏକ ଆହ୍ୱାନ ପାଲଟିଛି । ପାଟକୁରାରେ ବିଜୟଙ୍କ ଜିତ ଅନେକଙ୍କ ପାଇଁ ବିଜୟ ସଦୃଶ ହେବ । ପାଟକୁରାରେ ଜିଣିବା ପାଇଁ ବିଜେପି ଭିନ୍ନ ରଣନୀତି ଆପଣାଇଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନାନୁସାରେ, ପାଟକୁରାରେ ବିଜେଡ଼ି ସରକାରୀ କଳ, ଅର୍ଥ ବଳ ସବୁ ଖଟାଇବ । ତେଣୁ ଏହାକୁ କାଉଂଟର କରିବାକୁ ବି ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି । ପାଟକୁରାକୁ ଏକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ଦର୍ଶାଇବାକୁ ବିଜେପି ଯୋଜନା କରିଛି । ଯଦି ନିର୍ବାଚନ କମିଶନ ବିଜେପିର ଏହି ଦାବିକୁ ଗ୍ରହଣ କରନ୍ତି ତେବେ ସେଠାରେ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ବଳକୁ ମୁତୟନ କରାଯିବ । ବିଜେଡ଼ି ଯେଭଳି ବିପୁଳ ଅର୍ଥ ଖର୍ଚ୍ଚ ନକରିପାରିବ ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଟିମର ବ୍ୟବସ୍ଥା ମଧ୍ୟ ହେବ । ଯଦି ସେଠାରେ କେନ୍ଦ୍ରୀୟ ବଳ ମୁତୟନ କରାଯାଏ ତାହେଲେ ଏହା ବିଜେଡ଼ି ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ ହେବ ।