ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି
ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର: ସବୁ ଅପେକ୍ଷାର ଅନ୍ତ । ଭୁବନେଶ୍ୱର ବିମାନ ବନ୍ଦରରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି
ଭୁବନେଶ୍ୱର ବିମାନ ବନ୍ଦରରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ । ବିମାନରୁ ରାଷ୍ଟ୍ରପତି ଓହ୍ଲାଇବା ପରେ ତାଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ପରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟଶାସନ ସଚିବଙ୍କ ସମେତ ବହୁ ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି ।
ପରେ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପରରେ ସିଧାସଳଖ ପୁରୀ ଯିବେ। ରାଷ୍ଟ୍ରପତି ଚପରରୁ ତାଳବଣିଆରେ ଓହ୍ଲାଇବା ପରେ ସେଠୁ ସଡ଼କପଥରେ ଶ୍ରୀମନ୍ଦିରକୁ ଯିବେ। ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପଟ୍ଟଚ୍ଚିତ୍ର ପ୍ରଦାନ କରାଯିବ। ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କର ପ୍ରାୟ ୧ ଘଣ୍ଟାର ଦର୍ଶନ କାର୍ୟ୍ୟକ୍ରମ ରହିଛି।
ଏହାପରେ ରାଜଭବନକୁ ଯାଇ ସେ ମହାପ୍ରସାଦ ସେବନ କରିବେ। ପୁରୀରୁ ଅପରାହ୍ଣରେ ଭୁବନେଶ୍ୱର ଫେରି, ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦ୍ରୌପଦୀ ମୁର୍ମୁ। ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି। ଗସ୍ତର ଦ୍ୱିତୀୟ ଦିନରେ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ କାର୍ୟ୍ୟକ୍ରମ ରହିଛି ଜୟଦେବ ଭବନରେ। ଏହାପରେ ସେ ଦିଲ୍ଲୀ ବାହୁଡ଼ିଯିବେ।