ଏଥର ତ୍ରିମୁଖୀ ଲଢେଇ
ଏଥର ତ୍ରିମୁଖୀ ଲଢେଇ
admin
Mar 28, 2019 - 06:31
Updated: Mar 28, 2019 - 06:31
ସୁନ୍ଦରଗଡ ଜିଲ୍ଲାର ରଘୁନାଥପାଲି ବିଧାନସଭା ଆସନରେ ନିର୍ବାଚନ ଲାଗି ବିଜେଡି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଗତକାଲି ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡିରୁ ତୃତୀୟ ଥର ପାଇଁ ସୁବ୍ରତ ତରାଇଙ୍କୁ ଦଳ ଟିକେଟ ଦେଇଛି । ବିଜେପି ୨ୟଥର ପାଇଁ ଜଗବନ୍ଧୁ ବେହେରାଙ୍କୁ ଟିକେଟ ଦେଇଛି । ସେପଟେ ବିଜେଡି ଛାଡି କଂଗ୍ରେସରେ ମିଶିଥିବା ପ୍ରଶାନ୍ତ ସେଠୀ ନୂଆ ମୁହଁ ହେଲେ ମଧ୍ୟ କଂଗ୍ରେସ ଦଳ ତାଙ୍କୁ ଟିକେଟ ପ୍ରଦାନ କରିଛି ।ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ,ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଇଛି ।
ସୁବ୍ରତ ସରକାରୀ ଚାକିରି ଛାଡି ୨୦୦୯ରେ ବିଜେଡିରେ ଯୋଗ ଦେଇଥିଲେ । ଦଳରେ ସେ ନୂଆ ମୁହଁ ଥିଲେ ମଧ୍ୟ ତାଙ୍କ ଉପରେ ଭରଷା କରି ବିଜେଡି ଟିକେଟ ପ୍ରଦାନ କରିଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ସନ୍ତୋଷ କୁମାର ବେହେରାଙ୍କୁ ପ୍ରାର୍ଥୀ କରି ଟିକେଟ ଦେଇଥିବା ବେଳେ ସେ ମଧ୍ୟ ଦଳରେ ଥିଲେ ନୂଆ । କଂଗ୍ରେସ ପ୍ରଫୁଲ୍ଲ ସୁନ୍ୟାନୀଙ୍କୁ ପ୍ରାର୍ଥୀ କରାଇଥିଲା । ସେହି ନିର୍ବାଚନରେ ସୁବ୍ରତ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ । ବିଜେପି ତୃତୀୟ ସ୍ଥାନରେ ରହିଥିଲା ।
୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦ୍ୱିତୀୟ ଥର ପାଇଁ ସୁବ୍ରତ ପ୍ରାର୍ଥୀ କରିଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇ ଥିଲେ । ବିଜେପି ନୂଆମୁହଁ ଭାବେ ଜଗବନ୍ଧୁ ବେହେରାଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ମଧ୍ୟ ନୂଆ ଚେହେରା ଭାବେ ଗଜେନ୍ଦ୍ର ତନ୍ତୀଙ୍କୁ ପ୍ରାର୍ଥୀ କରିଥିଲା । ସୁବ୍ରତଙ୍କୁ କଡା ଟକ୍କର ଦେଇଥିଲେ ଜଗବନ୍ଧୁ ।ହେଲେ ସୁବ୍ରତ ବିଜୟ ହୋଇଥିଲା ।ସୁବ୍ରତ ୪୯,୦୭୪ ଖଣ୍ଡ ଭୋଟ ପାଇଥିବା ବେଳେ ଜଗବନ୍ଧୁ ୩୩,୦୩୩ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ୧୬,୦୪୧ ଖଣ୍ଡ କମ୍ ଭୋଟ ପରାଜିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ । ଚଳିତ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଭିନ୍ନ ଦଳର ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ବିଜେଡି ରଘୁନାଥପାଲି ନିର୍ବାଚନମଣ୍ଡଳୀ ପାଇଁ ତୃତୀୟ ଥର ଲାଗି ସୁବ୍ରତଙ୍କୁ ଟିକେଟ ଦେବା ପରେ ଆଶାୟୀ ଥିବା ପ୍ରଶାନ୍ତ ସେଠୀ ଅସନ୍ତୋଷ ବ୍ୟକ୍ତ କରିବା ସହ ସବୁ ଦିନ ପାଇଁ ବିଜେଡିକୁ ବାଏ ବାଏ କରିଦେଲେ । ଯାହାର ସୁଯୋଗ ଖୋଜୁଥିଲା କଂଗ୍ରେସ । ପ୍ରଶାନ୍ତଙ୍କୁ କଂଗ୍ରେସ ନିଜ ଶିବିରକୁ ନେଇ ଟିକେଟ ପ୍ରଦାନ କରିଛି । ସେପଟେ ବିଜେପିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା କମ୍ ନାହିଁ । ଦ୍ୱିତୀୟ ଥର ପାଇଁ ଜଗବନ୍ଧୁଙ୍କୁ ବିଜେପି ଟିକେଟ ପ୍ରଦାନ କରାଯିବା ପରେ ଆଶାୟୀ ଥିବା କିଛି ନେତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ବିଜେପି ଭୋଟ କାଟିବା ଲାଗି ଏହି ଅସନ୍ତୁଷ୍ଟଙ୍କ ମଧ୍ୟରୁ ୨/୩ ଜଣ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ଯାଉଥିବା ନେଇ ଏବେ ଲୋକଙ୍କ ମଧ୍ୟରେ ବେଶ୍ ଆଲୋଚନା ଚାଲିଛି । ବର୍ତମାନ ତିନି ପ୍ରମୁଖ ଦଳରେ ଯେଭଳି କନ୍ଦଳ ଚାଲିଛି ତାହା କୌଣସି ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ରାଜନୈତିକଙ୍କ ମହଲରେ ଏବେଠୁ ଚର୍ଚ୍ଚା ହେଉଛି । ତେବେ କେଉଁ ଦଳର ପ୍ରାର୍ଥୀ ଭୋଟରଙ୍କୁ ମନାଇବାରେ ସଫଳ ହେଉଛନ୍ତି ତାହା ସ୍ପଷ୍ଟ ହୋଇଯିବ ।