ଋଷର ତାଣ୍ଡବ, କ୍ଷେପଣାସ୍ତ୍ର ମାଡ଼ରେ ୧୨ ମୃତ

ଋଷର ତାଣ୍ଡବ, କ୍ଷେପଣାସ୍ତ୍ର ମାଡ଼ରେ ୧୨ ମୃତ

ଋଷର ତାଣ୍ଡବ, କ୍ଷେପଣାସ୍ତ୍ର ମାଡ଼ରେ ୧୨ ମୃତ

ନୂଆଦିଲ୍ଲୀ:  ୟୁକ୍ରେନ୍‌ରେ ଆକ୍ରମଣ ଜୋର୍‌ଦାର୍‌ କରି ରୁଷ୍‌ ତା’ର ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳଗୁଡ଼ିକରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ନିପ୍ରୋ ନଗରୀରେ ଅବସ୍ଥିତ ଗୋଟାଏ ୯ ମହଲାବିଶିଷ୍ଟ ଆପାର୍ଟମେଣ୍ଟ୍‌ରେ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ନିପ୍ରୋସ୍ଥିତ ଆବାସିକ ଆପାର୍ଟମେଣ୍ଟ୍‌ ଛଡ଼ା, କିବ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ମଧ୍ୟ ରୁଷ୍‌ ଆକ୍ରମଣ କରିଥିବା କଥା ୟୁକ୍ରେନ୍‌ର ଶକ୍ତି ମନ୍ତ୍ରାଳୟ କହିଛି। ଭୀଷଣ ଶୀତ ପଡ଼ିଥିବା ବେଳେ ଏଭଳି ଆକ୍ରମଣ ବିଜୁଳି, ପାଣି ଓ ସେଣ୍ଟ୍ରାଲ୍‌ ହିଟିଙ୍ଗ୍‌ ଯୋଗାଣ ବାଧା ପାଇବ ବୋଲି ଶକ୍ତି ମନ୍ତ୍ରାଳୟ ସୂଚନା ଦେଇଛି।
ରୁଷୀୟ ଆତଙ୍କ ଏବଂ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣର ଅବସାନ ନିମନ୍ତେ ରାଷ୍ଟ୍ରପତି ଜେଲେନସ୍କି ପୁଣି ପାଶ୍ଚାତ୍ୟ ମିତ୍ର ରାଷ୍ଟ୍ରମାନଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ମାଗିବେ ବୋଲି କହିଛନ୍ତି।

ସଦ୍ୟତମ ଆକ୍ରମଣରେ ରୁଷ୍‌ ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ୟୁକ୍ରେନ୍‌ର ପଶ୍ଚିମାଞ୍ଚଳ ପଡ଼ୋଶୀ ଦେଶ ମୋଲ୍‌ଦୋଭାରେ ମଧ୍ୟ କ୍ଷେପଣାସ୍ତ୍ର ଭଗ୍ନାଂଶ ପଡୁଥିବା ଦେଖାଯାଉଛି।ସେପଟେ ୟୁକ୍ରେନ୍‌ର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଡନ୍‌ବାସ୍‌ ଅଞ୍ଚଳରେ ଅଧିକରୁ ଅଧିକ ଅଞ୍ଚଳ ଦଖଲ କରିବା ଲାଗି ରୁଷ୍‌ ଅଭିଯାନ ଚଳାଇଥିବା ବେଳେ ପ୍ରତିରୋଧ କରିବା ଲାଗି ୟୁକ୍ରେନ୍‌ ସେନା ମଧ୍ୟ ଯୁଦ୍ଧ ଚଳାଇଛି।