‘ଇ-ଣ୍ଡି-ଆ’ ନାମକୁ ନେଇ ମୁଁ ଆଦୌ ଅସନ୍ତୁଷ୍ଟ ନୁହେଁ: ନୀତୀଶ

‘ଇ-ଣ୍ଡି-ଆ’ ନାମକୁ ନେଇ ମୁଁ ଆଦୌ ଅସନ୍ତୁଷ୍ଟ ନୁହେଁ: ନୀତୀଶ

ପାଟନା : ବିରୋଧୀ ମେଣ୍ଟର ଇ-ଣ୍ଡି-ଆ ନାମର ଶ୍ରେୟକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କଂଗ୍ରେସ ନେତାମାନେ ଏହାର ଶ୍ରେୟ ରାହୁଲ ଗାନ୍ଧିଙ୍କୁ ଦେଉଥିବା ବେଳେ ଟିଏମ୍‌ସି ମମତା ହିଁ ଏହି ନାମ ପ୍ରସ୍ତାବ ଦେଇଥିଲେ ଏବଂ ରାହୁଲ ଗାନ୍ଧି ଏହାକୁ ସମର୍ଥନ କରିଥିଲେ ବୋଲି କହିଛି। ଅନ୍ୟପକ୍ଷରେ ଏହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତାଧାରା ବୋଲି ମଧ୍ୟ ଅନେକ ସୋସିଆଲ ମିଡିଆରେ ମତ ରଖିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ମେଣ୍ଟର ନାମ ‘ଇ-ଣ୍ଡି-ଆ’ ରଖାଯିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧ କରିଥିବା ଏବଂ ସେ ଏହି ନାମକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବୋଲି ବିଭିନ୍ନ ଖବର ପ୍ରସାରିତ ହୋଇଛି। ନୀତୀଶ କହିଛନ୍ତି, ଇ-ଣ୍ଡି-ଆ ନାମକୁ ନେଇ ସେ ଆଦୌ ଅସନ୍ତୁଷ୍ଟ ନାହାନ୍ତି। ନୀତୀଶ କୁମାର କହିଛନ୍ତି, ଗତକାଲିର ବୈଠକ ଖୁବ୍‌ ଫଳପ୍ରଦ ଥିଲା। ‌ବୈଠକର ନିଷ୍କର୍ଷରେ ଆମେ ସମସ୍ତେ ଖୁସି। ମତେ ପାଟନା ଫେରିବାର ଥିବାରୁ ମୁଁ ବୈଠକ ପ‌ରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇପାରିଲିନି। ମୁଁ ଆଦୌ ଅସନ୍ତୁଷ୍ଟ ନାହିଁ।