ଆପୋଲୋରେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଆପୋଲୋରେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଆପୋଲୋରେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ୱର : ରାଜଧାନୀର ଏକ ପ୍ରତିଷ୍ଠିତ ହସପିଟାଲ ହେଉଛି ଆପୋଲୋ ହସପିଟାଲ  । ଚିକିତ୍ସା କ୍ଷେତ୍ରରେ ଏହାର ସୁନାମ ରହିଥିଲେବି ମହିଳା ଦୁର୍ବ୍ୟବହାରକାରୀଙ୍କ ବିରୋଧରେ ହସପିଟାଲର ନରମ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି  । ଜଣେ ମହିଳା କର୍ମଚାରୀଙ୍କୁ ଅନ୍ୟ ଜଣେ ପୁରୁଷ କର୍ମଚାରୀ ଅଶ୍ଳୀଳ ଇଙ୍ଗିତ କରିଥିଲେବି ହସପିଟାଲ କର୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଘଟଣା ସଭିଙ୍କୁ ଚକିତ କରିଦେଇଛି  । କେଉଁ ସ୍ୱାର୍ଥରେ ହସପିଟାଲ କର୍ତୃପକ୍ଷ ସଂପୃକ୍ତ ବ୍ୟକ୍ତିଙ୍କୁ ଘଂଟ ଘୋଡ଼ାଉଛନ୍ତି ସେନେଇ ହସପିଟାଲ ଅଳିନ୍ଦରେ ଚର୍ଚ୍ଚା ଜୋର ଧରିଛି  ।

ମିଳିଥିବା ସୂଚନାନୁଯାୟୀ, ଗତବର୍ଷ ସେପ୍ଟେମ୍ବର ୨ରେ ଜଣେ ଯୁବତୀ ନାଇଟ ସିଫ୍ଟ କରୁଥିଲେ  । ତେବେ ରାତି ପ୍ରାୟ ୧୧ଟାରେ ଇକୋ ରିପୋର୍ଟ ଆଣିବା ପାଇଁ ସେ କାଡର଼୍ିଓଲୋଜି ବିଭାଗକୁ ଯାଇଥିବାବେଳେ ଟେକ୍ନିସିଆନ ରାଜେଶ ପଣ୍ଡା ତାଙ୍କୁ ଦୁର୍ବ୍ୟବହାର କରିଥିଲେ  । ରାତ୍ରି ଯାପନ ପାଇଁ ସେ ଯୁବତୀଙ୍କୁ କହିଥିବା ଅଭିଯୋଗ ଆସିଥିଲା  । ଏନେଇ ଯୁବତୀ ଜଣଙ୍କ ଆପୋଲ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ  । ଯୁବତୀଙ୍କ ଅଭିଯୋଗ ଆଧାରରେ ଡାକ୍ତର ଦୀପିକା ମହାନ୍ତି ଅଧ୍ୟକ୍ଷତାରେ ଗଠିତ କମିଟି ଏନେଇ ତଦନ୍ତ କରିଥିଲେ  । ଅଭିଯୋଗକାରିଣୀ, ଅଭିଯୁକ୍ତ ଓ ଅନ୍ୟ ସାକ୍ଷୀମାନଙ୍କ ସହ କମିଟି ପ୍ରତ୍ୟକ୍ଷ ଭାବେ ଘଟଣାର ସତ୍ୟାସତ୍ୟ ଯାଂଚ ବି କରିଥିଲେ  । ଯାଂଚରୁ ଜଣାପଡ଼ିଥିଲାଯେ, ଅଭିଯୁକ୍ତ ରାଜେଶ ପଣ୍ଡା ମଦ ପିଇ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିଲେ  । ତାଙ୍କ ସହ ରାତ୍ରି ଯାପନ ପାଇଁ ବାଧ୍ୟ କରିଥିଲେ  । କମିଟି ଶ୍ରୀ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କର୍ତୃପକ୍ଷଙ୍କୁ ସୁପାରିଶ କରିଥିଲେ  । ତେବେ ଆଶ୍ଚର୍ଯ୍ୟର କଥା ଏକ ସଂଗୀନ ଅଭିଯୋଗରେ ଶ୍ରୀ ପଣ୍ଡାଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିଲେବି ଆପୋଲ କର୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି  । ଏମିତିକି ରାଜେଶ ପଣ୍ଡା ନକଲି ସାର୍ଟିଫିକେଟ ଦେଖାଇ ଚାକିରୀ କରିଥିବାର ବି ପ୍ରମାଣ ମିଳିଛି  । ତାଙ୍କ ସାର୍ଟିଫିକେଟର ବୈଧତା ନାହିଁ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ରେଜିଷ୍ଟ୍ରାର ଆପୋଲ କର୍ତୃପକ୍ଷଙ୍କୁ ଜଣାଇଛନ୍ତି  ।

ଏଭଳି ସଂଗୀନ ଘଟଣାରେ ଆପୋଲୋ କର୍ତୃପକ୍ଷଙ୍କ ନରମ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ  । କେଉଁ ଅଧିକାରୀ ଏଭଳି ଏକ ସଂଗୀନ ଘଟଣାକୁ ଚାପି ଦେଇଛନ୍ତି ? ଏହା ପଛରେ ତାଙ୍କର କି ସ୍ୱାର୍ଥ ରହିଛି ସେନେଇ ଚର୍ଚ୍ଚା ଜୋରଧରିଛି  । ଅପରପକ୍ଷରେ ଏନେଇ ହସପିଟାଲର ମତାମତ ଜାଣିବା ପାଇଁ ଆପୋଲୋର ଜନସମ୍ପର୍କ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେବି ସମ୍ଭବପର ହୋଇପାରିନଥିଲା  ।