ଆଜି ବର୍ଷା, କାଲିଠୁ କମିବ
ଆଜି ବର୍ଷା, କାଲିଠୁ କମିବ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଯେମିତି ଆଶା କରାଯାଉଥିଲା, ସେମିତି ହେଲାନି । ତଥାପି ଗତ ଦୁଇଦିନ ଭିତରେ ଅନେକ ଜାଗାରେ ସ୍ୱଳ୍ପରୁ ମଧ୍ୟମ ଓ କେତେକ ଜାଗାରେ ପ୍ରବଳ ବର୍ଷା ହୋଇଛି । ଲଘୁଚାପ ପ୍ରଭାବ ଆଜି ବି ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା କରାଇବ । ମାତ୍ର ବୁଧବାରଠାରୁ ବର୍ଷା ଧୀରେଧୀରେ କମିବ ।
ପାଣିପାଗ ବିଭାଗରହ ସୂଚନା ମୁତାବକ, ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ରହିଛି । ସେହିପରି ଉପକୂଳ ଓଡ଼ିଶାର ଅନେକ ଜାଗାରେ ମଧ୍ୟ ବର୍ଷା ହୋଇପାରେ ।
ବିଶେଷ କରି ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିପାଇଁ ଏ ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ବର୍ଷା ପରିମାଣ କମିବ । ତଥାପି ଅଳ୍ପ କେତେକ ଜାଗାରେ ବର୍ଷା ହୋଇପାରେ । ପୁଣି ୧୧ ତାରିଖବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହି ଲଘୁଚାପ ଆସିଲେ ପୁଣି ବର୍ଷା ବଢ଼ିବ । ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଧୋକା ଦେଇଛି । ବର୍ଷା କମିଯାଇଥିବାରୁ ବିଶେଷ କରି ଧାନ ଫସଲ ପ୍ରଭାବିତ ହୋଇଛି । ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ଲାଗିଛନ୍ତି ।
ଗତ ଦୁଇଦିନର ବର୍ଷା ପରେ ବର୍ଷା ଅଭାବଜନିତ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତଥାପି ଏବେ ସୁଦ୍ଧା ରାଜ୍ୟରେ ବର୍ଷା ଅଭାବ ପରିମାଣ ୨୯% ରହିଛି । ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ଯେତିକି ବର୍ଷା ହୋଇଛି, ସେଥିରେ ୨୪ଟି ଜିଲ୍ଲାରେ ଅନାବୃଷ୍ଟି ସ୍ଥିତି ଉପୁଜିଛି । କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି ।
ସେପ୍ଟେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଯେତିକି ବର୍ଷା ହେବା କଥା, ତା’ଠାରୁ ୩୯% କମ୍ ବର୍ଷା ହୋଇଥିଲା । ଗତ ଦୁଇଦିନ ଭିତରେ ଅନେକ ଜିଲ୍ଲାରେ ବର୍ଷା ହୋଇଛି । ଆଜି ବି ସକାଳୁ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେଉଛି ।




admin 