ଆକାଶରୁ ନିଆଁ ଝରୁଛି, ହିଟୱେଭ ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ବର: ସୂର୍ୟ୍ୟ ଉଇଁଲେ ବାହାରକୁ ବାହାରିବାକୁ ଡର ଲାଗୁଛି । ଉପାନ୍ତରୁ ଉପକୂଳ ସବୁଠି ତାତିର ରାଜୁତି । ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମପ୍ରବାହ । ଆସନ୍ତା ୫ଦିନ ପର୍ୟ୍ୟନ୍ତ ତାତିରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ କମିବା ସହ ସୂର୍ୟ୍ୟଙ୍କ ତେଜ କିରଣ ପାଇଁ ତାତି ବଢୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ୟ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।ସେପଟେ ସବୁ ଜିଲ୍ଲାପାଳଙ୍କୁ ହିଟ୍ ଓ୍ବେଭ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି ଏସଆରସି ।
ଅଂଶୁଘାତରେ କାହାର ମୃତ୍ୟୁ ହୋଇଥିଲେ ତତ୍କାଳ ତଦନ୍ତ କରାଯିବ । ୨ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅଂଶୁଘାତ ଜନିତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ଶ୍ରମିକ ମାନେ ଖରା ସମୟରେ କାମ ନକରିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଯାଉଥିଲେ ପାଣି ବୋତଲ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।




admin 