ଆଉ ଏକ ଲଜ୍ଜା, ବିବାହିତାଙ୍କୁ ଗଣଦୁଷ୍କର୍ମ

ଆଉ ଏକ ଲଜ୍ଜା, ବିବାହିତାଙ୍କୁ ଗଣଦୁଷ୍କର୍ମ

ଆଉ ଏକ ଲଜ୍ଜା, ବିବାହିତାଙ୍କୁ ଗଣଦୁଷ୍କର୍ମ
କଟକ: ଖାନନଗରର ପ୍ରେମନଗର ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ବିବାହିତାଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଗଣଦୁଷ୍କର୍ମ କରିଥିବା ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଥିବା କୁହାଯାଉଛି । ସୂଚନା ଅନୁଯାୟୀ ଖାନନଗର ମଣିମନ୍ଦିର ନିକଟରେ ଥିବା ପ୍ରେମ ନଗର ବସ୍ତିରେ ଜଣେ ୩୮ ବର୍ଷୀୟ ମହିଳା ରୁହନ୍ତି । ସ୍ୱାମୀ ତାଙ୍କ ଦୀର୍ଘଦିନ ହେବ ଛାଡ଼ି କୁଆଡେ଼ ଚାଲିଯାଇଛନ୍ତି । ମହିଳା ଜଣକ ପର ଘରେ ବୁଲି ପାଇଲି କରି ନିଜ ଓ ଦୁଇ ଝିଅଙ୍କ ପେଟ ପୋଷନ୍ତି । ଝିଅ ଦୁହିଁଙ୍କ ସହିତ ସେ ପ୍ରେମନଗର ବସ୍ତିରେ ରହୁଥିଲେ । ଶନିବାର ବିଳମ୍ବିତ ରାତିରେ ସେ ଦୁଇ ଝିଅଙ୍କ ସହିତ ଘରେ ଶୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ବଳ ପୂର୍ବକ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ନେଇ ପୀଡ଼ିତା ଓ ଦୁର୍ବୃତ୍ତଙ୍କ ଭିତରେ ପ୍ରବଳ ଧସ୍ତାଧସ୍ତି ବି ହୋଇଥିଲା । ଏଭଳି କାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୀଡ଼ିତା ଜଣକ ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଛନ୍ତି । ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାକୁ ଗୁରୁତର ସହିତ ଗ୍ରହଣ କରିଛି । ରାତିରେ ଏହି ମାମଲାରେ ସମ୍ପୃକ୍ତ ଜଣେ ଦୁର୍ବୃତ୍ତକୁ ପୁଲିସ ଉଠେଇ ନେଇ, ଘଟଣା ସମ୍ପର୍କରେ ପଚରାଉଚରା ଚଳାଇଛି । ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।