ଅସହ୍ୟ ତାତି, ୧୧ ଜିଲ୍ଲାରେ ୱାର୍ଣ୍ଣିଂ ଜାରି
ଅସହ୍ୟ ତାତି, ୧୧ ଜିଲ୍ଲାରେ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ବଢୁଛି ପାରଦ, ଅସହ୍ୟ ତାତିରେ ହନ୍ତସନ୍ତ ରାଜ୍ୟବାସୀ। ସକାଳ ୮ରୁ ବାଘ ଭଳିଆ ମାଡି ଆସୁଛି ଖରା । ଖରାର ମାତ୍ରା ବଢିବାରୁ ରାସ୍ତାଘାଟ ଚାରିଆଡ ଖାଁ ଖାଁ । ଏତେମାତ୍ରାରେ ଗରମ ହେଉଛି ଯେ, ନା ଘରେ ରହିହେଉଛି ନା ବାହାରକୁ ବାହାରି ହେଉଛି ।
ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାରେ ୱାର୍ଣ୍ଣିଂ ଜାରି କରାଯାଇଛି । ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ରହିଛି । ଆଗାମୀ ଦୁଇ ଦିନ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହିତ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ୩ରୁ ୫ଡିଗ୍ରୀ ଯାଏଁ ତାତି ଅଧିକ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ମେ ୧ ଓ ୨ ତାରିଖରେ ବର୍ଷା ହେବ ବୋଲି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ଏହି ଦୁଇ ଦିନ ତାତାରୁ କିଛିମାତ୍ରାରେ ଆଶ୍ୱସ୍ତି ମିଳିବ । କିନ୍ତୁ ପୁଣି ମେ ୩ ତାରିଖଠାରୁ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପ୍ରିଲ ମାସରେ ତାପମାତ୍ରା ୪୫ଡିଗ୍ରୀ ଛୁଇଁଲାଣି । ଯେହେତୁ ମେ ମାସରେ ଅଧିକ ଖରା ହୋଇଥାଏ, ଆଗକୁ ଆହୁରି ତାତି ବଢିବାନେଇ ଆଶଙ୍କା କରାଯାଉଛି ।




admin 